ମାର୍କ ଜାଲିଆତି ପାଇଁ ବାପାଙ୍କ ମନ୍ତ୍ରୀପଦ ଯାଇଥିଲା, କ୍ରାଇମ୍ ବ୍ରାଞ୍ଚରେ ମାମଲା ହୋଇଥିଲା

ଭୁବନେଶ୍ବର: ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଆଜି ବିଜୟ ଶଙ୍କର ଦାସଙ୍କ ନାମ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ୨୮ ବର୍ଷୀୟ ବିଜୟ ହେଉଛନ୍ତି ଦିବଂଗତ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ। ତେବେ ଅନେକେ ହୁଏତ ଭୁଲି ଯାଇଥିବେ, ବିଜେଡିର ପ୍ରାର୍ଥୀ ହୋଇଥିବା ବିଜୟ ୧୩ ବର୍ଷ ତଳେ ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ତାଙ୍କର ଦଶମ ଶ୍ରେଣୀ ମାର୍କ ଜାଲିଆତି ମାମଲାରେ ବାପା ବିଷ୍ଣୁ ଦାସ ମନ୍ତ୍ରୀ ପଦ ହରାଇଥିଲେ। କେବଳ ସେତିକି ନୁହେଁ, ୨୦୦୭ ସେପ୍ଟେମ୍ବର ୮ ତାରିଖରେ ମାରକସିଟ୍ ଜାଲିଆତି ମାମଲାରେ ବିଜୟଙ୍କ ନାମରେ ମାମଲା ରୁଜୁ କରିଥିଲେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ।
୨୦୦୬-୦୭ ଶିକ୍ଷାବର୍ଷରେ ଦଶମ ଉତ୍ତୀର୍ଣ୍ଣ ହୋଇଥିଲେ ସେତେବେଳେ ମାତ୍ର ୧୫ ବର୍ଷୀୟ ବିଜୟ। ସେତେବେଳକୁ ତାଙ୍କ ବାପା ବିଷ୍ଣୁ ଦାସ ଥିଲେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ। ତାଙ୍କ ଅଧୀନରେ ହିଁ ଥିଲା ମାଧ୍ୟମିକ ଶିକ୍ଷା ବୋର୍ଡ (BSE)। ବିଜୟଙ୍କର ମାର୍କ ଅବିଶ୍ବସନୀୟ ଭାବେ ବୃଦ୍ଧି କରାଯାଇଥିଲା। ବିଜୟ ମାତ୍ର ୪୭୮ ମାର୍କ ରଖିଥିବା ବେଳେ ଏହାକୁ ବଢ଼ାଇ ୬୦୨ କରି ଦିଆଯାଇଥିଲା। ଅଭିଯୋଗ ମୁତାବକ ଓଡ଼ିଆରେ ତାଙ୍କର ୩୯ ମାର୍କ ଥିବା ବେଳେ ଏହାକୁ ୮୯ କରାଯାଇଥିଲା, ଇଂରାଜୀରେ ୫୦ ବଦଳରେ ୮୦, ଗଣିତରେ ୪୦ ବଦଳରେ ୬୦, ବିଜ୍ଞାନରେ ୪୦ ବଦଳରେ ୫୦ ଓ ସାମାଜିକ ବିଜ୍ଞାନରେ ୪୫ ବଦଳରେ ୫୪ କରାଯାଇଥିଲା।
ଅଗଷ୍ଟ ମାସରେ ବିଷ୍ଣୁ ଦାସ ମନ୍ତ୍ରୀ ପଦରୁ ହଟିଥିବା ବେଳେ ଏହାର ଗୋଟିଏ ମାସ ପରେ ପୁତ୍ର ବିଜୟଙ୍କ ସମେତ ଆଉ ୮ ଜଣ ବିଏସ୍ଇ କର୍ମଚାରୀଙ୍କ ବିରୋଧରେ ଠକେଇ ଓ ମିଥ୍ୟା ନଥି ପ୍ରସ୍ତୁତ ଅଭିଯୋଗରେ ଧାରା ୪୬୪, ୪୬୫, ୪୬୮, ୪୭୧, ୪୭୪ ଓ ୧୨୦ଖ ଲଗାଇ ମାମଲା ରୁଜୁ କରିଥିଲେ କ୍ରାଇମ୍ ବ୍ରାଞ୍ଚ।