Odisha Link
Bridging the Missing Links in Odisha

କିମିଆ କରିଛି ବିରିୟାନୀ, ଏହି ସ୍ଥାନରେ ଲାଗେ ଦେଢ଼ କିମି ପର୍ଯ୍ୟନ୍ତ ଲାଇନ୍‌

ବେଙ୍ଗାଲୁରୁ: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ପାଇଁ ବନ୍ଦ ହୋଇ ଯାଇଥିଲା ହୋଟେଲ, ଛୋଟ ଛୋଟ ଖାଇବା ଦୋକାନ। ଆମ ଦେଶର ଖାଇବା ଓ ଲୋକଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି। ଯେଉଁଠି ବି ସୁସାଦ୍ୟ ଖାଦ୍ୟ ମିଳିଥାଏ ଆପେ ଆପେ ଲୋକ ସେଠାରେ ଲମ୍ବା ଲାଇନ୍‌ କରିଥାନ୍ତି। ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ବିରିୟାନୀ ଖାଇବାକୁ ଦେଢ କିଲୋମିଟର ପର୍ଯ୍ୟନ୍ତ ଲୋକ ପ୍ରବଳ ଭିଡ ଜମାଇଛନ୍ତି।

ବେଙ୍ଗାଲୁରର ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି। କେହି ତ ଏଭଳି କହୁଛନ୍ତି କ’ଣ ବିରିୟାନୀ ଫ୍ରିରେ ବଣ୍ଟା ଯାଉଥିଲା? ଏହି ଦୃଶ୍ୟ ବେଙ୍ଗାଲୁରର ହୋସକୋଟେର ପ୍ରମଖ ଆନନ୍ଦ ଦମ୍ ବିରିୟାନୀର ଦୋକାନର ବୋଲି ଜଣାପଡିଛି। ଏହି ଦୋକାନର ବିରିୟାନୀ ଲୋକଙ୍କୁ ଏତେ ପସନ୍ଦ ଯେ, ଲୋକମାନେ ଏହି ଦୋକାନରେ ବହୁ ସଂଖ୍ୟାରେ ପହଁଞ୍ଚିବାରେ ଲାଗିଛନ୍ତି। ଏପରିକି ବିରିୟାନୀର ସ୍ବାଦ ନେବା ପାଇଁ ବହୁ ଦୂରରୁ ଆସିଛନ୍ତି। ଯାହାଫଳରେ ଦେଢ଼ କିଲୋମିଟର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥାଏ।

ରବିବାର ଯେପରି ଳୋକମାନେ ଏହି ଦୋକାନ ଖୋଲିବାର ଖବର ପାଇଥିଲେ, ସେମାନେ ବିରିୟାନୀ ଖାଇବା ପାଇଁ ଦୋକାନରେ ଭିଡ ଲଗାଇଥିଲେ। ଦେଖୁ ଦେଖୁ ରାସ୍ତା କଡରେ ଦେଢ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ୍ ଲାଗି ରହିଥିଲା। କରୋନା ମହାମାରୀ ସମୟରେ ରାସ୍ତା ଉପରେ ଏକ ଭିଡ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିରିୟାନୀ ଖାଇବାକୁ ଲୋକ ୨୫ କିଲୋମିଟର ଦୂରରୁ ମଧ୍ୟ ଆସିଥିଲେ। ଦୋକାନରେ ଏତେ ବେପାର ବଢି ଯାଇଥିଲା ଯେ, ଅନ୍ୟ ଦିନ ତୁଳନାରେ ୨୦ ପ୍ରତିଶତ ଅଧିକ ବଢିଯାଇଥିଲା।

ସବୁଠାରୁ ବଡ଼ କଥା ହେଉଛି, ପ୍ରତି ଦିନ ୧୦୦୦ କେଜିର ବିରିୟାନୀ ଏଠାରେ ରନ୍ଧାଯାଇଥାଏ। ଗ୍ରାହକ ମାନେ ଏଠାକୁ ବିରିୟାନୀ ନେବା ପାଇଁ ଭୋର ୪ଟାରୁ ଆସି ସକାଳ ୬ଟାରେ ବିରିୟାନୀ ପାଇଥାନ୍ତି ବୋଲି କିଛି ଗ୍ରାହକ କହିଛନ୍ତି। ଦୀର୍ଘ ୨୨ ବର୍ଷରୁ ଲୋକଙ୍କ ମନ ଜାଣି ବିରିୟାନୀ ପରଷୁଛି ଆନନ୍ଦମ ବିରିୟାନୀ ଷ୍ଟଲ। ଏଥିରେ କେବଳ ପ୍ରାକୃତିକ ମସଲା ଦିଆଯାଇଥାଏ ବୋଲି ଦୋକାନର ମାଲିକ କହିଛନ୍ତି। ବର୍ତ୍ତମାନ ଏହାର ଲୋକପ୍ରିୟତା ସହ ଅର୍ଡର ବଢିଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଘରୋଇ ସଂସ୍ଥା ବା ବ୍ରାଣ୍ଡ କିଣିବାକୁ ଚେଷ୍ଟା କରିନାହିଁ। ଯାହା ଆନନ୍ଦ ବିରିୟାନୀକୁ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ଦୋକାନ ମାଲିକ କହିଛନ୍ତି।

ଦୋକାନର ମାଲିକ ଆହୁରି କହିଛନ୍ତି ଯେ, ଏଠାରେ ଗୋଟିଏ ଫୁଲ ପ୍ଲେଟ ବିରିୟାନୀର ମୂଲ୍ୟ ୨୩୦ ଓ ହାଫ୍ ପ୍ଲେଟର ମୂଲ୍ୟ ୧୭୦ ଟଙ୍କା। ବିରିୟାନୀ ବ୍ୟତୀତ ଏଠାରେ ଅନେକ ସାଇଡ ଡିସ ମଧ୍ୟ ମିଳିଥାଏ। ମାଲିକଙ୍କ କହିବାନୁସାରେ ସେମାନେ ଭୋର ୩ଟା ବେଳୁ ରୋଷେଇ ଆରମ୍ଭ କରନ୍ତି। ଆଉ ସକାଳ ୫ଟା ପୂର୍ବରୁ ଦୋକାନ ବାହାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥାଏ।

Comments are closed.