Odisha Link
Bridging the Missing Links in Odisha

ଉପନିର୍ବାଚନ: ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହେଲେ ରମାକାନ୍ତ

ଭୁବନେଶ୍ବର: କରୋନା କାଳରେ ରାଜ୍ୟରେ ହେବ ଦୁଇ ଦୁଇଟି ଉପ-ନିର୍ବାଚନ। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏଥିସହିତ ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ଦଳଡ଼ିଆଁ ରାଜନୀତି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ରମାକାନ୍ତ ଭୋଇ। ଗତ ୬ ତାରିଖରେ ବିଜେପି ଛାଡିଥିଲେ ରମାକାନ୍ତ ଭୋଇ। ୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ ବୋଲି ସୂଚନା ମିଳିଥିଲା। ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ରହିଛି। ଏ ଭିତରେ ରମାକାନ୍ତ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ତିର୍ତ୍ତୋଲ ଉପନିର୍ବାଚନରେ ତାଙ୍କୁ ଦଳୀୟ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଗତ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ପ୍ରାୟ ୯୩,୭୭୪ ଭୋଟ୍ ପାଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପିରୁ ରମାକାନ୍ତ ଭୋଇ ୫୩,୫୮୧ ଖଣ୍ଡ ଭୋଟ୍ ପାଇଥିଲେ। ପ୍ରାୟ ୪୦,୪୭୭ ଖଣ୍ଡରୁ ଅଧିକ ଭୋଟ୍ ବ୍ୟବଧାନରେ ବିଷ୍ଣୁ ଦାସ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ତିର୍ତ୍ତୋଲରେ ଦ୍ବିତୀୟ ସ୍ଥାନରେ ଥିବା ରମାକାନ୍ତ ଭୋଇ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା।

ଅନ୍ୟପଟେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି। ହେଲେ ବିଜେଡି ଓ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହାନ୍ତି।

Comments are closed.