Odisha Link
Bridging the Missing Links in Odisha

ପୂର୍ବତନ ବିଧାୟକ ସ୍ତ୍ରୀଙ୍କ କଳା କାରନାମା

ଚାଇଁବସା: ଚାଇଁବସାର ପୂର୍ବତନ ବିଜେପି ବିଧାୟକଙ୍କ ସ୍ତ୍ରୀଙ୍କ ନାମରେ ଅଭିଯୋଗ। ନକଲି ନୋଟ୍ ଛାପୁଥିବା ନେଇ ତାଙ୍କ ନାମରେ ହୋଇଛି ଥାନାରେ ଅଭିଯୋଗ। ଅଭିଯୁକ୍ତ ମହିଳାଙ୍କ ପୂର୍ବତନ ବିଧାୟକ ପୁତତ୍କରଙ୍କର ଦ୍ୱିତୀୟ ସ୍ତ୍ରୀ। ତାଙ୍କ ନାମ ମଲାୟା ହେମ୍ବ୍ରମ୍। ମଲାୟା ହେମ୍ବ୍ରମ୍‌ ନକଲି ନୋଟ୍ ଛାପୁଥିବା ନେଇ ସ୍ଥାନୀୟ ଲୋକେ ତାଙ୍କୁ ପଚାରିବାରୁ ସେ ଲୋକମାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଲାୟା କିଛିଦିନ ହେବ ପାଖ ବଜାରର ବିଭିନ୍ନ ଦୋକାନରେ ନକଲି ନୋଟ ଦେଇ ଜିନିଷ କିଣୁଥିଲେ। ଦୋକାନୀମାନେ ଯେତେବେଳେ ଏହି ନୋଟକୁ ବ୍ୟାଙ୍କରେ ଜମା କରିବାକୁ ନେଇଥିଲେ ସେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ଏହା ନକଲି ନୋଟ୍। କପଡା ଦୋକାନରୁ ନେଇ ମାଛ ଦୋକାନ ଯାଏ ସବୁ ସ୍ଥାନରେ ମଲାୟା ଦୁଇ ହଜାରର ନକଲି ନୋଟ୍ ଦେଇଥିଲେ। ମଲାୟା ଯେତେବେଳେ ରାତିର ଅନ୍ଧାରରେ ପୁଣି ଥରେ ସେହି ଦୋକାନ ମାନଙ୍କୁ ଜିନିଷ କିଣିବାକୁ ଯାଇଥିଲେ ଦୋକାନୀମାନେ ତାଙ୍କୁ ଘେରି ଯାଇଥିଲେ। ମଲାୟା ଦେଇଥିବା ନକଲି ନୋଟ୍ ଫେରାଇ ସେମାନଙ୍କୁ ଅସଲି ନୋଟ୍ ଦେବାକୁ ବାଧ୍ୟ କରିଥିଲେ। ହେଲେ ମଲାୟା ନୋଟ୍ ଫେରାଇବାକୁ ମନା କରିବାରୁ ବିବାଦ ଆରମ୍ଭ ହୋଇଥିଲା।

ଉଭୟ ମଲାୟା ଓ ଦୋକାନୀଙ୍କ ମଧ୍ୟରେ ଝଗଡା ବଢିବାରୁ ମଲାୟା ପାଖରେ ରଖିଥିବା ଏକ ଛୁରୀରେ ୩ ମହିଳା ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ମହିଳା ଆହତ ହୋଇଛନ୍ତି। ସୂଚନା ପାଇବା ପରେ ମୁଫ୍ସିଲ ଥାନା କର୍ମଚାରୀମାନେ ସେଠାରେ ପହଞ୍ଚି ମଲାୟାକୁ ଥାନାକୁ ନେଇଯାଇଥିଲେ। ପୁଲିସ ମଲାୟାଙ୍କ ସହ ଦୋକାନୀମାନଙ୍କୁ ପଚରା ଉଚରା କରିବା ପରେ ରାତିରେ ମଲାୟାଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏଥିରେ ପୁଲିସକୁ ନକଲି ନୋଟ୍ ସହ ସମ୍ବଦ୍ଧିତ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହା ପରେ ପୁଲିସ ଏହି ମାମଲାକୁ ନେଇ ଅଧିକ ଖୋଳତାଡ ଚଳାଇଛି।

Comments are closed.