Odisha Link
Bridging the Missing Links in Odisha

ଏସିଆରେ କମୁଛି ଭାରତର ପ୍ରାଧାନ୍ୟ, ଭାରତ ଚତୁର୍ଥ ଶକ୍ତିଶାଳୀ

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ବିଶ୍ବବାସୀଙ୍କୁ କରୁଛି ହନ୍ତସନ୍ତ। ଏହି ମହାମାରୀ ପାଇଁ କେଉଁ ଦେଶର ପୁଷମାସ ତ ଆଉ କେଉଁ ଦେଶର ସର୍ବନାଶ। ମହାମାରୀ କରୋନାରେ ଭାରତର ଆର୍ଥିକ ଅବସ୍ଥା ଭୁଷୁଡ଼ି ପଡ଼ିଛି।ଯାହାଫଳରେ ଭାରତ ଆଉ ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର (ମେଜର ପାୱାର) ବର୍ଗରେ ନାହିଁ। ମହାମାରୀ ପ୍ରଭାବରୁ ଏହି ମାନ୍ୟତାକୁ ହରାଇ ବସିଛି ଭାରତ। କ୍ଷମତା ଲଢ଼େଇରେ ଚୀନ୍‌ଠାରୁ ଢେର ପଛରେ ପଡ଼ିଯାଇଛି ଭାରତ। ସେପଟେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ଦବ୍‌ଦବା କାଏମ ରଖିବାରେ ଭାରତ ସମର୍ଥ ହୋଇଛି। ଆମେରିକା, ଚୀନ୍‌ ଓ ଜାପାନ ପଛକୁ ଭାରତ ଏ କ୍ଷେତ୍ରରେ ଚତୁର୍ଥ କ୍ଷମତାଶାଳୀ ରାଷ୍ଟ୍ର ବିବେଚିତ ହୋଇଛି।ସିଡ୍‌ନିଭିତ୍ତିକ ଲୋୱି ଇନ୍‌ଷ୍ଟିଚ୍ୟୁଟ୍‌ର ‘ଏସିଆ ପାୱାର ଇଣ୍ଡେକ୍ସ ୨୦୨୦’ରେ ଏହା ଦର୍ଶାଯାଇଛି।

ସିଡ୍‌ନିଭିତ୍ତିକ ଲୋୱି ଇନ୍‌ଷ୍ଟିଚ୍ୟୁଟ୍‌ର ତଥ୍ୟ ଅନୁଯାୟୀ ଭାରତର ପାୱାର ସ୍କୋର ଏଥର ୩୯.୭ ରହିଛି। ଆଉ ମାତ୍ର .୩ ସ୍କୋର ହାତେଇଥିଲେ ଭାରତ ପ୍ରମୁଖ କ୍ଷମତାଶାଳୀ (ମେଜର ପାୱାର) ରାଷ୍ଟ୍ର ବିବେଚିତ ହୋଇଥାନ୍ତା। ୨୦୧୯ରେ ଦେଶକୁ ୪୧.୦ ସ୍କୋର ମିଳିଥିଲା। ଏସିଆରେ ଏଥର ଜାପାନ ୪୧ ସ୍କୋର ହାସଲ କରି ଏକାକୀ ପ୍ରମୁଖ କ୍ଷମତାଶାଳୀ ରାଷ୍ଟ୍ର ବିବେଚିତ ହୋଇଛି।

ମଧ୍ୟମ କ୍ଷମତାଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ସବା ଉପରେ ରହିଛି। ଭାରତ ପଛକୁ ୩୩.୫ ସ୍କୋର ସହ ରୁଷ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏହା ପଛରେ ଅଷ୍ଟ୍ରେଲିଆ (୩୨.୪), ଦକ୍ଷିଣ କୋରିଆ (୩୧.୬), ସିଙ୍ଗାପୁର (୨୭.୪), ଥାଇଲାଣ୍ଡ (୨୦.୮) ଓ ମାଲେସିଆ (୨୦.୭) ରହିଛନ୍ତି । ଏସିଆର ଦ୍ୱିତୀୟ ବୃହତ୍‌ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତ ଏବେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ କ୍ଷମତାସମ୍ପନ୍ନ ମଧ୍ୟମ ଶକ୍ତିଶାଳୀ ରାଷ୍ଟ୍ର ବିବେଚିତ ହୋଇଛି। ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ଦେଶ ଏହାର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ମାନ୍ୟତା ପୁଣି ଫେରିପାଇବା ସମ୍ଭାବନା ରହିଛି ବୋଲି ଲୋୱି ଇନ୍‌ଷ୍ଟିଚ୍ୟୁଟ୍‌ ରିପୋର୍ଟ ଦାବି କରିଛି ।

ରିପୋର୍ଟ ମୁତାବିକ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଥିବା ସବୁ ରାଷ୍ଟ୍ର ମଧ୍ୟରୁ ଭାରତ କୋଭିଡ-୧୯ ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ଉଚ୍ଚ ଅଭିବୃଦ୍ଧି ହାସଲ ପାଇଁ ପୂର୍ବରୁ ଯେଉଁ ସୁଯୋଗ ସୃଷ୍ଟି ହୋଇଥିଲା, ତାହା କରୋନା ଧୂଳିସାତ୍‌ କରିଦେଇଛି। ଏଥିପାଇଁ ଚୀନ୍‌ଠାରୁ ଭାରତ ବହୁ ପଛରେ ପଡ଼ିଯାଇଛି। କେବଳ ଜନସଂଖ୍ୟା ଦିଗରୁ ଚୀନ୍‌ର ସମକକ୍ଷ ହୋଇପାରିବ ଭାରତ ହେଲେ ଅର୍ଥନୀତି କଥା କହିବାକୁ ଗଲେ ତାହା ଅବାସ୍ତବ। ଦେଶ ଉପରେ କରୋନା ମହାମାରୀ ସାଂଘାତିକ ପ୍ରଭାବ ପକାଇଛି। କରୋନା କାଳରେ ଓ ସୀମା ବିବାଦ ପାଇଁ ଏସିଆର ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ତଫାତ୍‌ ଆହୁରି ପ୍ରସାରିତ ହୋଇଯାଇଛି।

ଭାରତକୁ ନେଇ ଲୋୱି ଇନ୍‌ଷ୍ଟିଚ୍ୟୁଟ୍‌ ଆହୁରି ନକାରାତ୍ମକ ଆକଳନ କରିଛି। ଏହାର ରିପୋର୍ଟ ଦର୍ଶାଇଛି ଯେ କରୋନା ପୂର୍ବରୁ ଭାରତୀୟ ଅର୍ଥନୀତିକୁ ନେଇ ଯେଉଁ ପ୍ରକାର ଆକଳନ କରାଯାଇଥିଲା, ୨୦୩୦ ସୁଦ୍ଧା ଅର୍ଥନୀତି ତାହାଠାରୁ ୧୩% ଛୋଟ ହେବ। ଭବିଷ୍ୟତ ସମ୍ବଳ କ୍ଷେତ୍ରରେ ଭାରତର ସ୍କୋର ପାଖାପାଖି ୫ ପଏଣ୍ଟ ଖସିବାରୁ ଏଭଳି ସ୍ଥିତି ଉପୁଜିବ। ଅପରପକ୍ଷରେ ଏସିଆରେ ଭାରତର କୂଟନୈତିକ କ୍ଷମତା ବୃଦ୍ଧି ପାଇବାରେ ଲାଗିଛି । ଏସିଆ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଭାରତ ଯେଉଁ ଲକ୍ଷ୍ୟ ରଖିଛି, ତାହା ସମ୍ଭବ। କୂଟନୈତିକ ପ୍ରଭାବ ଦୃଷ୍ଟିରୁ ଦକ୍ଷିଣ କୋରିଆ ଏବଂ ରୁଷକୁ ଭାରତ ପଛରେ ପକାଇ ଦେଇଛି। ଆମେରିକା ପରେ ଏବେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

Comments are closed.