Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କୁ ଏବିଭିପିର ପ୍ରଶ୍ନ, ରାଜ୍ୟରେ କେବେ ଖୋଲିବ ଶିକ୍ଷାନୁଷ୍ଠାନ?

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ପାଇଁ ରାଜ୍ୟରେ ପାଖାପାଖି ୮ ମାସ ହେବ ସମସ୍ତ ଶିକ୍ଷାନୁଷ୍ଟାନ ବନ୍ଦ ରହିଛି। ରାଜ୍ୟରେ ପୂର୍ବ ଅପେକ୍ଷା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସରକାର କରୋନା କଟକଣା ସହ ବିଭିନ୍ନ ରାଜନୈତିକ ସଭା ସମିତି, ମଦ ଦୋକାନ ଆଦି ଖୋଲା ରଖିଛନ୍ତି। ଦିନ ପରେ ଦିନ ଗଡ଼ି ଚାଲିଛି ହେଲେ ରାଜ୍ୟରେ କେବେ ଶିକ୍ଷାନୁଷ୍ଠାନ ଖୋଲିବ ସେ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି। ଯାହାଫଳରେ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷର ମାହୋଲ ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ କେବେ ଶିକ୍ଷାନୁଷ୍ଠାନ ଖୋଲିବ ସେ ନେଇ ସରକାରଙ୍କୁ ପ୍ରଶ୍ନ କରିଛି ଉତ୍କଳ ବିଶ୍ବବିଦ୍ୟାଳୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ।

ମଙ୍ଗଳବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସରକାର ଏବଂ କୁଳପତିଙ୍କୁ ପ୍ରଶ୍ନ କରାଯାଇଛି। ଏବିଭିପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ସମସ୍ତ ମଦ ଦୋକାନ, ନିର୍ବାଚନ ପାଇଁ ପ୍ରସ୍ତୁତି, ବିଭିନ୍ନ ରାଜନୈତିକ ଦଳର ସଭାକୁ ଅନୁମତି ମିଳିବା ବେଳେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ହୋଇ ରହିଛି କାହିଁକି ? ସରକାର କାହିଁକି ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ କିଛି ପଦକ୍ଷେପ ନେଉନାହାନ୍ତି କାହିଁକି ? ଗୋଟେ ନିୟମିତ ଅଧ୍ୟୟନରତ ଥିବା ବିଦ୍ୟାର୍ଥୀ ଯେତେବେଳେ ଦୀର୍ଘ ୮ ମାସ ଘରେ ବନ୍ଦ ରହିବା ଦ୍ବାରା ତା’ର ମାନସିକ ସ୍ଥିତି ଖରାପ୍ ହୋଇ ଗଲାଣି। ହେଲେ ସରକାର ନିଜର ସ୍ବାର୍ଥ ଯେଉଁଠି ସେଠାରେ ହିଁ ଅଧିକ ପ୍ରୋତ୍ସାହନ ଦେଉଥିବା ଜଣାପଡିଛି ବୋଲି ଏବିଭିପି ପକ୍ଷରୁ କୁହାଯାଇଛି।

ଏଥିସହିତ ବିଦ୍ୟାର୍ଥୀ ମାନଙ୍କୁ ପଙ୍ଗୁ କରିବା ପାଇଁ ସରକାର ଯେଉଁ ଚେଷ୍ଟା ଚଲେଇଛନ୍ତି ତାହା ତୁରନ୍ତ ବନ୍ଦ କରାଯାଉ। ଯଦି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଖୋଲିବା ପାଇଁ ତୁରନ୍ତ ପଦକ୍ଷେପ ନ ନିଆଯାଏ ତେବେ ରାଜ୍ୟର ସମସ୍ତ ଛାତ୍ରସମାଜ ରାଜରାସ୍ତାକୁ ଓହ୍ଲାଇବେ। ତେଣୁ ତୁରନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଉ ବୋଲି ବାଣୀବିହାର ଛାତ୍ର ନେତା ଭବରଞ୍ଜନ୍ ବେହେରା କହିଛନ୍ତି।

ଏହି ଆନ୍ଦୋଳନରେ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟ ମାନସ କୁମାର ସାହୁ,ସଞ୍ଜୟ ମଲ୍ଲିକ,ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରତନ କୁମାର ଦିଗଲ, ସ୍ଵୟଂଜିତ୍ ପଟ୍ଟନାୟକ, ରାଜେଶ୍ ପରିଡ଼ା, ଗୋପବନ୍ଧୁ ଜେନା, ସୁମନ୍ତ ବେହେରା, ଶିବଶକ୍ତି ଦିଗଲ, ସୁମନ୍ତ ନାୟକ ,ସୁଧାଂଶୁ ସାହୁ,ପ୍ରଦୀପ କୁମାର ସ୍ବାଇଁ ,ଆଶିଷ ରାଉତ , ବିନୟ ସାମଲ ଆଦି ଯୋଗ ଦେଇଥିଲେ।

Comments are closed.