Odisha Link
Bridging the Missing Links in Odisha

ମଦପିଇ ଗାଡ଼ି ଚଲାଇବାରେ ତୃତୀୟରେ ଓଡ଼ିଶା: ୱିଙ୍ଗ୍‌ ରିପୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାରେ ଦୁର୍ଘଟଣା ହାର ବଢ଼ୁଛି। ଦିନକୁ ୩୦ରୁ ଅଧିକ ଦୁର୍ଘଟଣା ହେଉଥିବା ବେଳେ ପାଖାପାଖି ୧୫ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ପରିବହନ ଗବେଷଣା ୱିଙ୍ଗ୍‌ ପକ୍ଷରୁ ପ୍ରକାଶ ପାଇଥିବା ‘ରୋଡ୍‌ ଆକ୍ସି‌ଡେଣ୍ଟ୍‌ ଇନ୍‌ ଇଣ୍ଡିଆ-୨୦୧୯’ ରିପୋର୍ଟରେ ସାମ୍ନାକୁ ଆସିଛି। ଏହି ରିପୋର୍ଟକୁ ମୁତାବକ, ମଦପିଇ ଗାଡ଼ି ଚଲାଇବାରେ ଦେଶରେ ତୃତୀୟ ସ୍ଥାନରେ ରହିଛି ଓଡ଼ିଶା। ୨୦୧୯ ମସିହାରେ ଓଡ଼ିଶାରେ ସମୁଦାୟ ୧୧,୦୬୪ଟି ସଡ଼କ ଦୁର୍ଘଟଣା ଘଟିଛି ଏବଂ ଏଥିରେ ସମୁଦାୟ ୫,୩୩୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ, ୨୦୧୮ ମସିହା ତୁଳନାରେ ଦୁର୍ଘଟଣା ସଂଖ୍ୟା କମ୍‌ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ। ସେହିବର୍ଷ ୧୧,୨୬୨ଟି ଦୁର୍ଘଟଣା ଘଟି ସମୁଦାୟ ୫,୩୧୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଓଡିଶାରେ ଓଭରସ୍ପିଡ୍‌ ଯୋଗୁଁ ୭,୬୩୨ଟି ଦୁର୍ଘଟଣା ଘଟିଥିଲା। ମଦ୍ୟପାନ କରି ଗ‌ାଡ଼ି ଚଳାଇବା ଯୋଗୁଁ ୧,୦୬୮ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୫୦୭ ଜଣଙ୍କର ମୃତ୍ୟୁ ହୋଇଥିଲା। ମଦ୍ୟପାନ କରି ଗାଡ଼ି ଚଳାଇବା ସଂପର୍କିତ ଦୁର୍ଘଟଣା ମାମଲାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଉତ୍ତର ପ୍ରଦେଶ ଓ ଦ୍ବିତୀୟ ସ୍ଥାନରେ ପଞ୍ଜାବ ରହିଛି। ଭୁଲ୍‌ ପାର୍ଶ୍ବରେ ଡ୍ରାଇଭିଂ କରିବା ଯୋଗୁଁ ୧,୦୪୦ଟି ସଡ଼କ ଦୁର୍ଘଟଣା ହୋଇଥିବାର ରିପୋର୍ଟରେ ଉଲ୍ଲେଖ ଥିବାବେଳେ ୪୯୨ଟି ଦୁର୍ଘଟଣା ଡ୍ରାଇଭିଂ ସମୟରେ ମୋବାଇଲ ଫୋନ୍‌ର ବ୍ୟବହାର ଯୋଗୁଁ ହୋଇଛି। ହେଲମେଟ ପିନ୍ଧିନଥିବାରୁ ୧,୪୩୩ ଡ୍ରାଇଭର ଓ ୭୩୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲାବେଳେ ସିଟ ବେଲ୍ଟ ବାନ୍ଧିନଥିବାରୁ ୩୮୦ ଜଣ ଡ୍ରାଇଭର ଓ ୫୦୬ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେତେ ଦୁର୍ଘଟଣା ଘଟିଛି ତାହା ଦର୍ଶାଯାଇଛି । ୨୦୧୯ ମସିହାରେ ସହରାଞ୍ଚଳରେ ସମୁଦାୟ ୩,୧୧୮ଟି ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ୧,୨୫୩ ଜଣ ପ୍ରାଣ ହରାଇଥିଲେ। ସେହିଭଳି ଗ୍ରାମାଞ୍ଚଳରେ ୭,୯୪୬ ସଡକ ଦୁର୍ଘଟଣାରୁ ୪,୦୮୦ ଜଣଙ୍କର ମୃତ୍ୟୁ ହୋଇଥିବାର ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷ‌ରେ, ଜାତୀୟ ରାଜପଥରେ ୪,୧୪୮ ସଡକ ଦୁର୍ଘଟଣାରୁ ୨,୦୦୦ ଜଣଙ୍କର ମୃତ୍ୟୁ ଓ ୪,୩୫୯ ଆହତ ହୋଇଛନ୍ତି। ୨୦୧୯ରେ ରାଜ୍ୟ ରାଜପଥ ମାନଙ୍କରେ ୩,୧୯୫ ଦୁର୍ଘଟଣାରୁ ୧,୫୦୩ ଜଣ ପ୍ରାଣ ହରାଇଥିଲେ। ରାଜ୍ୟ ରାଜପଥମାନଙ୍କରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲାରେ ଓଡିଶା ଦେଶରେ ନବମ ସ୍ଥାନରେ ଥିବାର ରିପୋର୍ଟରେ କୁହାଯାଇଛି।

Comments are closed.