Odisha Link
Bridging the Missing Links in Odisha

ସରକାରୀ ଅର୍ଥକୁ ଖୁଲମଖୁଲା ହଡ଼ପ କରୁଛନ୍ତି ବିଜେଡି ନେତା: ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର: ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡିଛି ଶାସକ ବିଜେଡି। ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ହଡପ କରି ମିଛରେ ବିକାଶର ଡିଣ୍ଡିମ ପିଟିଚାଲିଛନ୍ତି ବିଜେଡି ନେତା। ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆସୁଥିବା ଆବାସ ଯୋଜନାର ଅର୍ଥ, ବାର୍ଦ୍ଧକ୍ୟ ଭତା ଏବଂ ବିଭିନ୍ନ ଜନକନ୍ୟାଲକାରୀ ଯୋଜନାର ଅର୍ଥ ସାଧାରଣ ଲୋକ ପାଖରେ ପହଞ୍ଚାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ମିଳିଥିବା କୋଟି କୋଟି ଟଙ୍କାର ଅନୁଦାନକୁ ଖର୍ଚ୍ଚ କରାଯାଉନାହିଁ ଏବଂ ଯାହା ବି ଖର୍ଚ୍ଚ ହେଉଛି ତାହାର କୌଣସି ଲେଖାଯୋଖା ହିସାବ ନାହିଁ। ସରକାର କା ମାଲ୍ ଦରିଆ ମେଁ ଡାଲ୍‌ ନୀତିରେ କୋଟି କୋଟି ଟଙ୍କାର କୁଆଡେ ଯାଉଛି ତା’ର ହିସାବ ନାହିଁ କି ବିନିଯୋଗ ପ୍ରମାଣପତ୍ର ନାହିଁ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବିକାଶ ତ ଦୂରର କଥା ଦୀର୍ଘ ୨୦ ବର୍ଷ ଧରି ତିର୍ତୋଲବାସୀ ସାଧାରଣ ସୁବିଧାରୁ ବଞ୍ଚିତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ପଞ୍ଚାୟତରାଜ ବିଭାଗ ଲୋକାଲ ଫଣ୍ଡ ଅଡିଟ୍ ର ରିପୋର୍ଟ ଅନୁଯାୟୀ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ପଞ୍ଚାୟତ ସମିତି ପାଉଥିବା ଅନୁଦାନ ସମେତ ଅନ୍ୟାନ୍ୟ ସମ୍ବଳକୁ ଖର୍ଚ୍ଚ କରାଯାଉନାହିଁ। ଯାହାବି ଖର୍ଚ୍ଚ ହେଉଛି ତାର କୌଣସି ହିସାବ ନାହିଁ ତାଙ୍କ ପାଖରେ। ତେଣୁ ବିନିଯୋଗ ପ୍ରମାଣପତ୍ର ଦେବାରେ ସେମାନେ ଅସମର୍ଥ ହେଉଛନ୍ତି। ଖର୍ଚ୍ଚ ନହୋଇ ଜିଲ୍ଲା ପରିଷଦର ୨୫ କୋଟି, ପଞ୍ଚାୟତ ସମିତିର ୧୪୧ କୋଟି ଏବଂ ପଞ୍ଚାୟତ ଗୁଡିକରେ ୮୮ କୋଟି ଟଙ୍କା ପଡିରହିଛି। ବିନିଯୋଗ ହେଉଥିବା ଅର୍ଥରୁ ପଞ୍ଚାୟତ ସମିତି ଗୁଡିକ ୨୪୦ କୋଟି ଓ ପଞ୍ଚାୟତଗୁଡିକ ୧୨୬ କୋଟି ଟଙ୍କାର ହିସାବ ରଖିନାହାଁନ୍ତି। ବିଜେଡି କର୍ମୀ ଓ ସମର୍ଥକମାନେ ପଞ୍ଚାୟତ ସମିତି ଗୁଡିକରୁ ବିଭିନ୍ନ କାର୍ଯ୍ୟ ଓ ଯୋଗାଣ ନିମନ୍ତେ ଅଗ୍ରୀମ ଅର୍ଥ ନେଇଛନ୍ତି। ଉକ୍ତ ଅଗ୍ରୀମ ଅର୍ଥ ମଧ୍ୟରୁ ପଞ୍ଚାୟତ ସମିତି ଗୁଡିକରେ ୧୨ କୋଟି ଓ ପଞ୍ଚାୟତ ଗୁଡିକରେ ୭୯ ଲକ୍ଷ ଟଙ୍କାର କୌଣସି କାର୍ଯ୍ୟ ହୋଇନାହିଁ କି ସେମାନଙ୍କ ଠାରୁ ଏହି ଅର୍ଥ ଅସୁଲ କରାଯାଇନାହିଁ। ପଞ୍ଚାୟତ ସମିତି ଗୁଡିକରେ କାହୁ କେତେ ଅର୍ଥ ଅଗ୍ରୀମ ଦିଆଯାଇଛି ତାହାର ମଧ୍ୟ ବିଦ୍ଧିବଦ୍ଧ ହିସାବ ନାହିଁ । ଅନ୍ୟପଟେ ବିନା ବାର୍ଷିକ ବଜେଟରେ ୩ଟି ପଞ୍ଚାୟତ ସମିତି ପରିଚାଳିତ ହେଉଛି। ଏହିପରି ଭାବେ ସରକାରୀ ଅର୍ଥକୁ ଖୁଲମଖୁଲା ହଡପ କରୁଛନ୍ତି ବିଜେଡି ନେତା।

୨୦୧୩ ମସିହାରୁ ଗୋଟିଏ ଯୋଜନା ପାଇଁ ଏକାଧିକ ବ୍ୟାଙ୍କ ଜମା ଖାତା ରଖିବା ନିଷିଦ୍ଧ ହୋଇଥିଲେ ମଧ୍ୟ ତିର୍ତ୍ତୋଲ ପଞ୍ଚାୟତ ସମିତିରେ ଆବାସ ଯୋଜନା ପାଇଁ ୨ଟି, ନିଜସ୍ୱ ସମ୍ବଳ ପାଇଁ ୧୪ଟି, ଏଫଡିଆର ପାଇଁ ୨ଟି, ସଂସଦ ପାଣ୍ଠି ପାଇଁ ୩ଟି, ବିଧାୟକ ପାଣ୍ଠି ପାଇଁ ୩ଟି, ଆଇସି ପାଇଁ ୨ଟି ଓ ମନରେଗା ଯୋଜନା ପାଇଁ ପୃଥକ ପୃଥକ ୩ଟି ବ୍ୟାଙ୍କ ଜମାଖାତା ଖୋଲାଯାଇଛି। ବିରିଡି ପଞ୍ଚାୟତ ସମିତ ମଧ୍ୟ ୨ ନମ୍ବର ଖାତା ବ୍ୟାଧିରୁ ମୁକ୍ତ ନୁହେଁ। ଏହି ପଞ୍ଚାୟତ ସମିତିରେ ଆବାସ ଯୋଜନା ପାଇଁ ୨ଟି, ବିଜୁ ପକ୍କା ଘର ପାଇଁ ୨ଟି, ସାଂସଦ ପାଣ୍ଠି ପାଇଁ ୫ଟି, ଏନଏଫବିଏସ ଯୋଜନା ପାଇଁ ୨ଟି ଏବଂ ବାର୍ଦ୍ଧକ୍ୟ ଭତା ପାଇଁ ୩ଟି ଖାତା ଖୋଲାଯାଇଛି। ସେହିକ୍ରମରେ ରଘୁନାଥପୁର ପଞ୍ଚାୟତ ସମିତିରେ ବୋଇନ ଭାବେ ଆବାସ ଯୋଜନା ପାଇଁ ୨ଟି, ସାଂସଦ ପାଣ୍ଠି ପାଇଁ ୨ଟି, ତ୍ରୟୋଦଶ ଅର୍ଥ କମିଶନ ପାଇଁ ୨ଟି, ବାର୍ଦ୍ଧକ୍ୟ ଭତା ପାଇଁ ୩ଟ, ସମିତି ବିବିଧ ପାଇଁ ୧୧ଟି ଏବଂ ଏନଏଫବିଏସ ପାଇଁ ୨ଟି ଜମାଖାତା ମାଧ୍ୟମରେ କାମ ହେଉଛି। ଏଥୁରୁ ସ୍ପଷ୍ଟ ଯେ, ଦୁଇ ବା ତତୋଧିକ ବ୍ୟାଙ୍କ ଜମା ଖାତାରେ ଚାଲିଛି ତିର୍ତୋଲ ନିର୍ବାଚନମଣ୍ଡଳୀର ପଞ୍ଚାୟତରାଜ ବ୍ୟବସ୍ଥା। ପଞ୍ଚାୟତରାଜ ବିଭାଗର ଖାମଖିଆଲ ନୀତି ଯୋଗୁଁ ଆଜି ବିନା ହିସାବରେ କୋଟି କୋଟି ଟଙ୍କା ଜାଲିଆତି କରାଯାଇଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ଜଗତସିଂହପୁର ଜିଲ୍ଲାର ପଞ୍ଚାୟତ ସମିତି କ୍ୟାସ ବୁକ୍ ଓ ବ୍ୟାଙ୍କ ପାସ ବୁକ୍ ମଧ୍ୟରେ ୩୧ କୋଟି ଟଙ୍କାର ତାଳମେଳ ନାହିଁ । ୭ଟି ପଞ୍ଚାୟତ ସମିତିରେ ବିଜେଡି କେଉଁ ବିଜେଡି କର୍ମୀଙ୍କୁ କାର୍ଯ୍ୟ ଓ ଯୋଗାଣ ଉଦ୍ଦେଶ୍ୟରେ କେତେ ଅଗ୍ରୀମ ଦିଆଯାଇଛି ତାହାର ଖାତା ପତ୍ର ନାହିଁ । ବ୍ୟାଙ୍କରେ ଜମା ହୋଇଥିବା ଅର୍ଥ ରାଶିରୁ ମିଳିଥିବା ୪୭ ଲକ୍ଷ ଟଙ୍କା ସୁଧର ହିସାବ ପଞ୍ଚାୟତ ସମିତି କର୍ତୁପକ୍ଷଙ୍କ ନିକଟରେ ନାହିଁ। ତିର୍ତୋଲରେ ବିକାଶମୂଳକ କାର୍ଯ୍ୟ ନହୋଇ କୋଟି କୋଟି ଟଙ୍କାର ଅନୁଦାନ ପଞ୍ଚାୟତ ସମିତି ଗୁଡିକରେ ପଡିରହିବା ପଛରେ ଶାସକ ଦଳର ହିଁ ସଂପୃକ୍ତି ରହିଛି। ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ଓ ଶାସକ ବିଜେଡିର ନେତାଙ୍କ ସହଭାଗିତାରେ କୋଟି କୋଟି ଟଙ୍କା ହଡପ କରାଯାଉଛି। ଏହି ଅର୍ଥକୁ ସଠିକ୍ ଭାବେ ବିନିଯୋଗ କରାଗଲେ ତିର୍ତୋଲବାସୀ ବିଶେଷ କରି ଗରିବ ଅସହାୟ ଲୋକମାନେ ଉପକୃତ ହେବା ସହ ସେମାନଙ୍କ ପାଇଁ ଲାଗୁ ହୋଇଥିବା ଯୋଜନାର ଲାଭ ଉଠାଇପାରନ୍ତେ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

Comments are closed.