ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କ ଘରେ ଏନସିବି ଚଢ଼ଉ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚଢଉ କରିଥିଲା। ତାଙ୍କ ଘରୁ ବିପୁଳ ପରିମାଣ ନିଶା ଔଷଧ ଓ ସାମଗ୍ରୀ ମିଳିଥିଲା। ଏନସିବି ପୂର୍ବରୁ କରିସ୍ମାଙ୍କୁ ଦୁଇଥର ପଚରାଉଚରା କରିଛି। କରିସ୍ମା ଓ ଦୀପିକା ପାଦୁକୋନଙ୍କୁ ମଧ୍ୟ ଥରେ ସାମ୍ନାସାମ୍ନି ପଚରାଉଚରା କରାଯାଇଛି।
ସୂଚନା ଅନୁସାରେ, କରିସ୍ମାଙ୍କୁ ତାଙ୍କ ଘରେ ଦେଖିବାକୁ ମିଳି ନ ଥିଲା। ଏହା ପରେ ଏନସିବି ତାଙ୍କ ଘରେ ଲଟକା ଝୁଲାଇ ଦେଇଛି। ଏନସିବି ସୂତ୍ର ଅନୁଯାୟୀ, ପଚରାଉଚରା ବେଳେ କିଛି ଡ୍ରଗ୍ ବେପାରୀ କରିସ୍ମାଙ୍କ ସଂପର୍କରେ ସୂଚନା ଦେଇଥିଲେ।ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ କହିଛନ୍ତି, “କରିସ୍ମାଙ୍କ ପଡୋଶୀ, କାର୍ଯ୍ୟାଳୟ ଏବଂ ସମସ୍ତ ପରିଚିତଙ୍କୁ ଆମେ କରିସ୍ମାଙ୍କ ସମନ ସଂପର୍କରେ ସୂଚନା ଦିଆଯାଇଛି।
ବୁଧବାର ସକାଳେ ତାଙ୍କୁ ଏନସିବି କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡକାଯାଇଛି। ଏ ନେଇ ଅଧିକ ତଦନ୍ତ ଚାଲିଛି।କିଛି ଦିନ ପୂର୍ବରୁ ଦୀପିକା ଏବଂ କରିସ୍ମାଙ୍କ ମଧ୍ୟରେ ଡ୍ରଗ୍ସ ବିଷୟରେ ଏକ ବାର୍ତ୍ତାଳାପ ମଧ୍ୟ ସାମ୍ନାକୁ ଆସିଥିଲା। ଦୀପିକା ଏବଂ କରିସ୍ମାଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ୨୮ ଅକ୍ଟୋବର ୨୦୧୭ରେ ହୋଇଥିଲା। କରିସ୍ମାଙ୍କ ସହ ବାର୍ତ୍ତାଳାପରେ ଦୀପିକା ‘ହ୍ୟାଶ୍’ ଏବଂ ‘ ଉଇଡ’ ଭଳି ଶବ୍ଦ ବ୍ୟବହାର କରିଥିଲେ।
ଦୀପିକାଙ୍କ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା କରିସ୍ମା ପ୍ରକାଶ ‘କାଉନ୍’ ନାମକ ଏକ ସେଲିବ୍ରିଟି ମ୍ୟାନେଜମେଣ୍ଟ କମ୍ପାନୀରେ କାର୍ଯ୍ୟ କରନ୍ତି। ୪୦ ରୁ ଅଧିକ ବଲିଉଡ ସେଲିବ୍ରିଟିଙ୍କୁ କମ୍ପାନୀ ପ୍ରତିଭା ଯୋଗାଇଥାଏ। ରିୟା ଚକ୍ରବର୍ତ୍ତୀଙ୍କ ମ୍ୟାନେଜର ଜୟା ସାହା ମଧ୍ୟ ଏହି କମ୍ପାନୀରେ କାମ କରନ୍ତି। ଜୟା ହେଉଛନ୍ତି କରିସ୍ମାଙ୍କର ସିନିୟର।
ଏନସିବି, ସିବିଆଇ ଏବଂ ଇଡି ଦଳ ଜୟାଙ୍କୁ ଅନେକ ଥର ପ୍ରଶ୍ନ କରିଛନ୍ତି। ଅନୁସନ୍ଧାନ ବେଳେ ଏନସିବି ଜୟା ଏବଂ କରିସ୍ମାଙ୍କ ମଧ୍ୟରେ ହୋଇଥିବା ଚାଟ୍ ବିଷୟରେ ଜାଣିଥିଲା। ଏହା ପରେ ଦୀପିକାଙ୍କ ନିକଟରେ ପହଞ୍ଚିଥିଲା।