Odisha Link
Bridging the Missing Links in Odisha

ଫେସବୁକରୁ ଫେକ୍ ପ୍ରେମ ତା’ପରେ ଚିଟିଂ: ଜେଲ୍ ପଠାଇ ଦେବାକୁ ଯୁବତୀଙ୍କ ଧମକ

ଭୁବନେଶ୍ୱର: ଅନଲାଇନ୍‌ ପ୍ରେମ ଭାରି ମାରତ୍ମକ। ପ୍ରଥମେ ଫେସବୁକ୍‌ରେ ଚାଟିଂ, ପୁଣି ଫେସ୍‌ ଟୁ ଫେସ୍‌ ମଜାମସ୍ତି ଆଉ ତା’ପରେ ଆରମ୍ଭ ହୋଇଯାଉଛି ବ୍ଲାକ୍‌ମେଲ୍‌ର ଖେଳ। ଏମିତି ପ୍ରେମ ଜାଲରେ ଲୋକଙ୍କୁ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ବ୍ଲାକମେଲ୍‌ କରୁଛନ୍ତି ଯୁବତୀ। ୫୦ଲକ୍ଷ ଟଙ୍କା ନଦେଲେ ଥାନାରେ ଅଭିଯୋଗ କରିବା ସହ ଜେଲ୍‌ ପଠାଇବାକୁ ଦେଉଛନ୍ତି ଧମକ। କରୋନା ଲକ୍‌ଡାଉନ୍‌ ବେଳେ ରାଜଧାନୀରେ ଘଟିଥିବା ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ଫେସ୍‌ବୁକ୍‌ରୁ ବନ୍ଧୁତା ପୁଣି ୩ମାସର ସମ୍ପର୍କ ପରେ ଜଣେ ଯୁବତୀଙ୍କ ବ୍ଲାକମେଲ୍‌ର ଶିକାର ହୋଇଛନ୍ତି ଜଣେ ଯୁବ ଇଂଜିନିୟର। ଅବସ୍ଥା ଅସମ୍ଭାଳ ଦେଖି ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ ନକରିବାକୁ ଶେଷରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଇଂଜିନିୟର ଜଣକ। ଆଉ ଏହି ଘଟଣାରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ଅନ୍ୟପଟେ ଭଦ୍ରକରେ ମଧ୍ୟ ପାଖାପାଖି ସମାନ ଘଟଣା ସାମ୍ନାକୁ ଆସିଛି। ଫେସବୁକ୍‌ରେ ଜଣେ ବିବାହିତାଙ୍କୁ ପ୍ରେମ ନିବେଦନ କରିବା ମହଙ୍ଗା ପଡ଼ିଛି। ଫେସବୁକ୍‌ରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ସହ ବିଭିନ୍ନ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ବାଲେଶ୍ବର ଖଇରାର ଜଣେ ଯୁବକଙ୍କୁ କୌଶଳକ୍ରମେ ଭଦ୍ରକ ବନ୍ତଛକକୁ ଡକାଇ କେମିତି ଉତ୍ତମ ମଧ୍ୟମ ଦେଇଛନ୍ତି ସଂପୃକ୍ତ ମହିଳା ଓ ତାଙ୍କ ସମ୍ପର୍କୀୟ।

ଭଦ୍ରକ ଟାଉନଥାନା ପୋଲିସ ମାଡ଼ ଖାଇଥିବା ଯୁବକଙ୍କ ସହ ମହିଳାଙ୍କ ଦୁଇ ସମ୍ପର୍କୀୟଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି। କିଛି ଲୋକ ନିଜର କୁତ୍ସିତ ଭାବନାକୁ ଚରିତାର୍ଥ କରିବାକୁ ଯାଇ ସୋସିଆଲ୍‌ ମିଡିଆ ମାଧ୍ୟମରେ ଚଳାଇଥିବା କାରନାମା, ବେଳେ ବେଳେ ସେମାନଙ୍କ ପାଇଁ ବୁମେରାଂ ହେଉଛି। ଉଭୟ ଭୁବନେଶ୍ବର ଓ ଭଦ୍ରକର ଦୁଇଟି ଯାକ ଘଟଣା ଦେଖିଲେ ଏହା ହିଁ ସ୍ପଷ୍ଟ ହେଉଛି।

Comments are closed.