Odisha Link
Bridging the Missing Links in Odisha

ପାକ୍ ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ

ନୂଆଦିଲ୍ଲୀ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା। ପାକ୍ ମନ୍ତ୍ରୀ ଫୱାଦ ଚୌଧୁରୀ ପାକ୍ ସଂସଦରେ ଏନେଇ ସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ, ଏହା ଇମ୍ରାନ୍ ସରକାରର ବଡ଼ ସଫଳତା ଥିଲା ବୋଲି କହିବାକୁ ସେ ପଛାଇ ନାହାନ୍ତି। ପ୍ରଥମ ଥର ପାଇଁ ଭାରତ ବିରୋଧରେ ଏକ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ପ୍ରାୟୋଜିତ ଥିଲା ବୋଲି ପାକ୍ ମନ୍ତ୍ରୀଙ୍କ ଏହି ସ୍ବୀକାରୋକ୍ତି ଏବେ ଚର୍ଚ୍ଚା ସୃଷ୍ଟି କରିଛି।

ଗୁରୁବାର ପାକ୍ ସଂସଦରେ ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀ ଫାୱାଦ କହିଥିଲେ, ‘ହମ୍‌ନେ ହିନ୍ଦୁସ୍ତାନ କୋ ଘୁସ୍‌ କେ ମାରା’। ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ବରେ ପୁଲ୍‌ୱାମା ଆକ୍ରମଣ ଆମ ଦେଶବାସୀଙ୍କ ବଡ଼ ସଫଳତା ବୋଲି ମନ୍ତ୍ରୀ ଫାୱା‌ଦ ଦୋହରାଇଥିଲେ। ସେ ଏହି ବକ୍ତବ୍ୟ ରଖିଲାବେଳେ ଅନ୍ୟ ସାଂସଦମାନେ ଟେବୁଲ ବାଡେଇ ଏହାକୁ ସମର୍ଥନ କରିଥିଲେ।

ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏବଂ ଆର୍ମି ଚିଫ୍‌ ଜେନେରାଲ୍‌ କମର୍‌ ଜାଭେଦ ବାଜ୍‌ୱାଙ୍କ ମଧ୍ୟରେ ହୋଇଥିବା ଗୁପ୍ତ ବୈଠକ ସମ୍ପର୍କରେ ପାକ୍‌ ବିରୋଧୀ ଦଳ ନେତା ଆୟାଜ୍‌ ସାଦିକ୍ବି ପ୍ରଘଟ କରିଦେବା ପରେ ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଥିବା ସଂକ୍ରାନ୍ତ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଥିବା ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ୨୦୧୯ ଫେବୃଆରୀ ୧୪ ତାରିଖରେ ପୁଲ୍‌ୱାମାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ନେଇ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଘଟାଇଥିବା ଦାବି କରିଥିଲା। ଏହାକୁ ନେଇ ସେତେବେଳେ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ଏନ୍‌ଆଇଏ କିଛିଦିନ ତଳେ ‌ଏ ନେଇ ଯେଉଁ ଚାର୍ଜସିଟ୍‌ ଦାୟର କରିଥିଲା, ସେଥିରେ ଆକ୍ରମଣ ପାଇଁ ପାକିସ୍ତାନ ସରକାର ଏବଂ ଏହାର ଗୁଇନ୍ଦା‌ ସଂସ୍ଥା ଆଇଏସ୍‌ଆଇର ହାତ ଥିବା ଉଲ୍ଲେଖ କରିଥିଲା। ମାତ୍ର ପାକ୍ ସରକାର ଏହାକୁ ଖାରଜ କରିଥିଲେ ଏବଂ ପାକିସ୍ତାନକୁ ବଦନାମ କରିବା ପାଇଁ ଭାରତ ଅପଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ତେବେ ଆଜି ପାକ୍ ମନ୍ତ୍ରୀଙ୍କ ଏହି ସ୍ବୀକ‌ାରୋକ୍ତି ପରେ ପାକିସ୍ତାନର ମୁଖା ଧରାପଡ଼ିଛି।

Comments are closed.