Odisha Link
Bridging the Missing Links in Odisha

ତିନି ଗୁଣା ନିଟ୍ ଲାଭ ବୃଦ୍ଧି କରିଛି ରିଲାଏନ୍ସ ଜିଓ

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ଦ୍ୱିତୀୟ ତ୍ରୟମାସରେ ନିଟ୍ ଲାଭରେ ତିନି ଗୁଣା ବୃଦ୍ଧି ସହ ୨୮୪୪ କୋଟି ଟଙ୍କା ହାସଲ କରିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ କମ୍ପାନୀ ୯୯୦ କୋଟି ଟଙ୍କାର ନିଟ୍ ଲାଭ କରିଥିଲା। ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ତ୍ରୟମାସରେ କମ୍ପାନୀର ରାଜସ୍ୱ ୩୩ ପ୍ରତିଶତ ବୃଦ୍ଧି ଘଟି ୧୭,୪୮୧ କୋଟି ଟଙ୍କା ହୋଇଛି ଯାହା ୨୦୧୯-୨୦ ଆର୍ଥିକ ବର୍ଷର ସମାନ ସମୟରେ ୧୩,୧୩୦ କୋଟି ଟଙ୍କା ଥିଲା।

ଏହି ଅବଧିରେ ଜିଓର ଗ୍ରାହକ ପିଛା ରାଜସ୍ୱ (ଆରପୁ) ୧୪୫ ଟଙ୍କାକୁ ବୃଦ୍ଧିପାଇଥିବା ବେଳେ ୨୦୨୦ ସେପ୍ଟେମ୍ବର ୩୦ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୪୦.୫୬ କୋଟି ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଏଥିସହିତ ଚୀନ୍ ବାହାରେ ଗୋଟିଏ ଦେଶରେ ଏତେ ସଂଖ୍ୟକ ଗ୍ରାହକ ହାସଲ କରିବାରେ ଜିଓ ବିଶ୍ୱର ଏକମାତ୍ର କମ୍ପାନୀ ହୋଇଛି। ମୋଟ ଓୟାରଲେସ ଡାଟା ଟ୍ରାଫିକ୍ ଏହି ସମୟରେ ୧.୫ ପ୍ରତିଶତ ବୃଦ୍ଧିପାଇ ୧୧୪୨ ଜିବି ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ରାଜସ୍ୱ ୭.୧ ପ୍ରତିଶତ ବୃଦ୍ଧି ପାଇ ୨୧,୭୦୮ କୋଟି ଟଙ୍କା ହୋଇଥିବା ବେଳେ ନିଟ୍ ଲାଭ ୧୯.୮ ପ୍ରତିଶତ ବୃଦ୍ଧି ସହ ୩୦୨୦ କୋଟି ଟଙ୍କା ହୋଇଛି।

ସେହିପରି, ୨୦୨୦ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରିଲାଏନ୍ସ ରିଟେଲ୍‌ର ମୋଟ ରାଜସ୍ୱ ୩୦ ପ୍ରତିଶତ ବୃଦ୍ଧି ପାଇ ୪୧,୧୦୦ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ପରିମାଣ ୮୫.୯ ପ୍ରତିଶତ ବୃଦ୍ଧି ସହ ୨୦୦୬ କୋଟି ଟଙ୍କା ହୋଇଛି । ରିଲାଏନ୍ସ ରିଟେଲ୍‌ର ନିଟ୍ ଲାଭରେ ୧୨୫.୮ ପ୍ରତିଶତ ବୃଦ୍ଧି ହୋଇ ୯୭୩ କୋଟି ଟଙ୍କାରେ ପହଂଚିଛି । ଆଲୋଚ୍ୟ ତ୍ରୟମାସରେ ନଗଦ ଲାଭ ୭୭.୩ ପ୍ରତିଶତ ବୃଦ୍ଧି ପାଇ ୧୪୦୮ କୋଟି ଟଙ୍କା ହୋଇଛି । କଂପାନି ପାଖରେ ୧୧,୯୩୧ଟି କାର୍ଯ୍ୟକ୍ଷମ ରହିଥିବା ଷ୍ଟୋର୍ ରହିଛି ଏବଂ ଆଲୋଚ୍ୟ ତ୍ରୟମାସରେ କଂପାନି ୧୨୫ଟି ନୂଆ ଷ୍ଟୋର୍ ଯୋଡ଼ିଛି ।

ସେହିଭଳି ଏହି ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ମୋଟ ରାଜସ୍ୱ ୧,୨୮,୩୮୫ କୋଟିି ଟଙ୍କାରେ ପହଂଚିଥିବା ବେଳେ ନିଟ୍ ଲାଭ ୧୦୬୦୨ କୋଟି ଟଙ୍କା ହୋଇଛି। ଏହି ସମୟରେ କଂପାନିର ରପ୍ତାନି ୩୪,୫୦୧ କୋଟି ଟଙ୍କା ହୋଇଥିବା ଜଣାପଡିଛି ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଡି. ଅମ୍ବାନୀ କହିଛନ୍ତି ଯେ, ପୂର୍ବ ତ୍ରୟମାସ ତୁଳନାରେ ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ ମୋଟ ଉପରେ ଦୃଢ଼ ଥିବା ବେଳେ ପେଟ୍ରୋକେମିକାଲ୍ସ ଓ ରିଟେଲ୍ କ୍ଷେତ୍ରରେ ଉନ୍ନତି ହୋଇଛି ଏବଂ ଡିଜିଟାଲ୍ ସେବା ବ୍ୟବସାୟରେ ଅଭିବୃଦ୍ଧି ବଜାୟ ରହିଛି। ଓ୨ସି (ତୈଳ ଓ ପେଟ୍ରୋକେମିକାଲ୍‌) ବ୍ୟବସାୟରେ ଅନେକ ଉତ୍ପାଦର ଚାହିଦା କୋଭିଡ୍ ପୂର୍ବବର୍ତ୍ତୀ ସ୍ତରକୁ ଫେରିଥିବା ବେଳେ ଚାହିଦାରେ ଦେଶ ଭିତରେ ପୁନରୁଦ୍ଧାର ଘଟିଛି। ରିଟେଲ୍ କାରବାର ସ୍ୱାଭାବିକ ହୋଇଛି। ଗତ ଛଅ ମାସରେ ଜିଓ ଓ ରିଟେଲ୍ ବ୍ୟବସାୟରେ ବିପୁଳ ପରିମାଣର ପୁଞ୍ଜି ସଂଗ୍ରହ କରାଯାଇଛି ଏବଂ ଆମେ ଏସବୁ ନିବେଶକମାନଙ୍କୁ ରିଲାଏନ୍ସ ପରିବାରକୁ ସ୍ୱାଗତ କରୁଛୁ ।

Comments are closed.