Odisha Link
Bridging the Missing Links in Odisha

ଭୋଟ୍‌ ଗଣତି ବନ୍ଦ କରାଇବାକୁ ସୁପ୍ରିମ୍‌ କୋର୍ଟ ଯିବୁ: ଟ୍ରମ୍ପ୍‌

ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ସରିବା ପରେ ଜାରି ରହିଛି ଭୋଟ୍ ଗଣତି। ଭୋଟ୍ ଗଣତି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଗଣତି ପରେ ସ୍ପଷ୍ଟ ହେବ ଆମେରିକାର ନୂଆ ରାଷ୍ଟ୍ରପତି । ତେବେ କେବଳ ଆମେରିକା ନୁହଁ , ସାରା ବିଶ୍ୱର ନଜର ଏହା ଉପରେ ରହିଛି। ଆମେରିକାରେ ରାଷ୍ଟ୍ରପତି ହେବା ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ୍ ଭୋଟ୍। ସୂଚନା ଅନୁସାରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନଙ୍କ ମଧ୍ୟରେ କଡା ଟକ୍କର ଚାଲିଛି।

ଆମେରିକାରେ ଗଣତି ଜାରି ରହିଥିବା ବେଳେ ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିବା ସହ ଭୋଟ୍‌ ଜାଲିଆତି ହୋଇଥିବା ଅଭିଯୋଗ କରି ସୁପ୍ରିମ୍‌ କୋର୍ଟକୁ ଯିବେ ବୋଲି ବୁଧବାର ଦିନ ହ୍ବାଇଟ୍‌ ହାଉସ୍‌ରେ ଭାଷଣ ଦେଇ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି।

ଜିତିବାକୁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ୍‌ କଲେଜ୍ ଭୋଟ୍‌ ପାଖାପାଖି ହୋଇ ନ ଥିଲେ ସୁଦ୍ଧା ଟ୍ରମ୍ପ୍‌ କହିଛନ୍ତି, ସତ କହିବାକୁ ଗଲେ, ଆମେ ଏହି ନିର୍ବାଚନରେ ବିଜୟୀ ହୋଇଛୁ। ନିର୍ବାଚନ ପ୍ରକ୍ରିୟା ବନ୍ଦ କରାଇବାକୁ ଉଦ୍ୟମ କରିବା ସହ ରାତି ୨.୩୦ରେ ଅନୁଷ୍ଠିତ ଏହି ସଭାରେ ସମର୍ଥକମାନଙ୍କୁ ଉତ୍ସାହ ଦେଇ ଟ୍ରମ୍ପ୍‌ କହିଲେ, ଆମେ ଏହି ନିର୍ବାଚନରେ ବିଜୟୀ ହେବା। ଆମର ସ୍ଥିତି ଯାହା କହୁଛି, ଆମେ ନିର୍ବାଚନ ଜିତି ସାରିଛନ୍ତି।

ଟ୍ରମ୍ପ୍‌ ଅଭିଯୋଗ କରିଛନ୍ତି ଯେ, ଡେମୋକ୍ରାଟ୍‌ମାନେ ଭୋଟ୍‌ ଜାଲିଆତି କରିଛନ୍ତି। ତେଣୁ ଭୋର୍‌ ୪ଟା ପରେ ଭୋଟ୍‌ ଗଣନା ବନ୍ଦ କରାଯାଉ। ଏ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟରେ ଅଭିଯୋଗ କରିବାକୁ ଟ୍ରମ୍ପ୍‌ ଗୁରୁତ୍ବର ସହ ଚିନ୍ତା କରୁଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଯଦିବା ସେ ଯାଆନ୍ତି, କେଉଁ ଆଧାରରେ ଯିବେ। କାରଣ, ଭୋଟ୍‌ ଗଣନା ପ୍ରକ୍ରିୟା ରାଜ୍ୟମାନଙ୍କ ପରିସରଭୁକ୍ତ ହୋଇଥିବାରୁ ଏହାକୁ ବନ୍ଦ କରାଇବାରେ ଆଇନର ବିଶେଷ ଭୂମିକା ନାହିଁ। ପୂର୍ବରୁ ଏଭଳି ଅନ୍ୟୂନ ଦୁଇଟି ମାମଲାର ବିଚାର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ୍ କୋର୍ଟ ରାଜ୍ୟକୁ କହିଥିଲେ।

ଭୋଟ୍‌ ଗଣତି ଚାଲିଥିବା ପେନ୍‌ସିଲ୍‌ଭାନିଆ, ମିଚିଗାନ୍‌, ୱିସକନ୍‌ସିନ୍, ଜର୍ଜିଆ ଏବଂ ନର୍ଥ କାରୋଲିନା ଆଦି ରାଜ୍ୟରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବେ ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି। ସେ ଏତେ ସଂଖ୍ୟାରେ ବିଜୟ ହାସଲ କରିବେ ଯେ, ଡେମୋକ୍ରାଟ୍‌ମାନେ ତାଙ୍କ ପାଖାପାଖି ମଧ୍ୟ ପହଞ୍ଚିପାରିବେ ନାହିଁ। କିନ୍ତୁ, ଶେଷ ଖବର ସୁଦ୍ଧା ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ’ ବାଇଡେନ୍‌ ୨୩୮ ଭୋଟ୍‌ ସହ ଆଗୁଆ ଥିବା ବେଳେ ରିପବ୍ଲିକାନ୍‌ ପ୍ରାର୍ଥୀ ରାଷ୍ଟ୍ରପତି ଟ୍ରମ୍ପ୍‌ ୨୧୩ ଭୋଟ୍‌ ପାଇଛନ୍ତି।

Comments are closed.