Odisha Link
Bridging the Missing Links in Odisha

ବଦଳିଲା ସ୍ବର: ଅବ୍ କି ବାର୍‌ ଟ୍ରମ୍ପ୍‌ ସରକାର୍‌ ନୁହେଁ, ବାଇଡେନ୍‌ଙ୍କ ସହ ଏକାଠି କାମ କରିବୁ

ନୂଆଦିଲ୍ଲୀ: ଆମେରିକାରେ ଜୋ ବାିଡେନ୍‌ ରାଷ୍ଟ୍ରପତି ଭାବେ ବିଜୟୀ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଟ୍ରମ୍ପ୍‌ଙ୍କୁ ଭୋଟଦେବା ଲାଗି ପୂର୍ବରୁ ଆମେରିକାରେ କହିଥିବା ମୋଦିଙ୍କର ସ୍ବର ଏବେ ବଦଳି ଯାଇଛି। ବାଇଡେନ୍‌ଙ୍କ ସହ ନିବିଡ଼ ହୋଇ କର୍ଯ୍ୟ କରିବୁ ବୋଲି ମୋଦି କହିଛନ୍ତି।

ଗତବର୍ଷ ସେପ୍ଟେମ୍ବର ମାସରେ ଆମେରିକାର ଟେକ୍ସାସ୍‌ ଠାରେ ମୋଦିଙ୍କ ସ୍ବାଗତରେ ବିଶାଳ ସମାବେଶ ଆୟୋଜନ କରିଥିଲେ ସେଠାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି “ହାଉଡି ମୋଦି” ସଭାରେ ଲକ୍ଷାଧିକ ଭାରତୀୟ-ଆମେରିକୀୟ ଯୋଗ ଦେଇଥିବା ବେଳେ ଟ୍ରମ୍ପଙ୍କ ଦ୍ବିତୀୟ ବିଜୟ ପାଇଁ ଆହ୍ବାନ ଜଣାଇ ମୋଦି କହିଥିଲେ- ଅବ୍ କି ବାର୍‌ ଟ୍ରମ୍ପ୍‌ ସରକାର୍। ପରେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଟ୍ରମ୍ପ୍‌ଙ୍କ ସ୍ବାଗତରେ ଅହମ୍ମଦାବାଦରେ “ନମସ୍ତେ ଟ୍ରମ୍ପ୍” କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମୋଦି।

ତେବେ ଆମେରିକାର ନିର୍ବାଚନରେ ଏଥର ଶୋଚନୀୟ ଭାବେ ପରାଜୟ ବରଣ କରିଛନ୍ତି ଟ୍ରମ୍ପ୍। ବାଇଡେନ୍‌ ରାଷ୍ଟ୍ରପତି ଭାବେ ବିଜୟୀ ହୋଇଥିବା ବେଳେ ଭାରତୀୟ ବଂଶୋଦ୍ଭବ କମଳା ହାରିଶ୍‌ ଉପରାଷ୍ଟ୍ରପତି ଭାବେ ବିଜୟୀ ହୋଇଛନ୍ତି। ଆମେରିକାରେ ରାଜନୈତିକ ପଟ ପରିବର୍ତ୍ତନ ଭାରତର ବିଦେଶନୀତିକୁ ବଦଳାଇବା ଆଶଙ୍କା କରାଯାଉଛି। ଉଭୟଙ୍କୁ ମୋଦି ଶୁଭେଚ୍ଛା ଜଣାିବା ସହ ଅତି ଘନିଷ୍ଟ ଭାବେ ବାଇଡେନ୍‌ଙ୍କ ସହ ମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି।

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଭାରତର ବହୁ ରାଜନେତା ମଧ୍ୟ ବାଇଡେନ୍‌ ଓ କମଳାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Comments are closed.