ଦୀପାବଳି ସରିଲା, ସାଙ୍ଘାତିକ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଥିଲା। ଏହିକ୍ରମରେ ରାଜଧାନୀ ଦିଲ୍ଲୀରେ ମଧ୍ୟ ବାଣ ଫୁଟାଇବା ଓ ବିକ୍ରିକୁ ବ୍ୟାନ୍ କରାଯାଇଥିଲା। ହେଲେ ଶନିବାର ଦୀପାବଳି ଅବସରରେ ରାଜଧାନୀ ଲୋକେ ଖୁବ୍ ବାଣ ଫୁଟାଇ ଏସବୁ କଟକଣାକୁ ଫୁ’ କରିଛନ୍ତି ଦିଲ୍ଲୀବାସୀ। ଯାହାର ପ୍ରଭାବ ରବିବାର ଦେଖିବାକୁ ମିଳିଛି।
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଗମ୍ଭୀର ଭାବରେ ବଢିଛି। ଶନିବାର ରାତିରେ କଟକଣା ସତ୍ତ୍ୱେ ବାଣଫୁଟା ଯୋଗୁଁ ସ୍ଥିତି ଅଧିକ ସାଙ୍ଘାତିକ ହୋଇଛି। ଆକାଶରେ କେବଳ ଧୁଆଁ ହିଁ ଧୁଆଁ ନଜର ଆସୁଛି। ଏହି ପ୍ରଦୂଷିତ ବାୟୁ ହାର୍ଟ ଓ ଫୁସଫୁସ ଜନିତ ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇପାରେ।
ସେଣ୍ଟ୍ରାଲ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ(CPCB) ଅନୁସାରେ ରାଜଧାନୀ ଭିତରେ ବାୟୁର ମାତ୍ରା ଅତି ଖରାପ ହୋଇଯାଇଛି ଏବଂ ଆଗାମୀ ୪୮ ଘଣ୍ଟା ଭିତରେ ସ୍ଥିତି ଅଧିକ ଖରାପ ହୋଇପାରେ। ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍(GRAP) ଅନୁସାରେ ବାୟୁର ଗୁଣ ଏବେ ‘ଗମ୍ଭୀର ପ୍ଲସ’ ବା ‘ଜରୁରୀକାଳୀନ’ ଶ୍ରେଣୀରେ ପହଞ୍ଚିଯାଇଛି । ସକାଳ ୬ଟା ପର୍ଯ୍ୟନ୍ତ ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ଏୟାର ଇଣ୍ଡେକ୍ସ ୪୭୮ ରେକର୍ଡ କରାଯାଇଛି। ଚାନ୍ଦିନୀ ଚୌକରେ ୪୫୨, ଇନ୍ଦିରାଗାନ୍ଧୀ ଏୟାରପୋର୍ଟରେ ୪୪୪, ଦ୍ୱାରକା ସେକ୍ଟର ୮ ଅଞ୍ଚଳରେ ୪୬୮, ମନ୍ଦିର ମାର୍ଗରେ ୪୭୩, ରୋହିଣୀ ୪୭୯ ଓ ବଜିରପୁର ଅଞ୍ଚଳରେ ୪୩୪ ରେକର୍ଡ କରାଯାଇଛି।