Odisha Link
Bridging the Missing Links in Odisha

ଷ୍ଟାର୍ଟଅପ୍‌ ର‍୍ୟାକିଙ୍ଗ୍‌ ଶୀର୍ଷରେ ଓଡ଼ିଶା

ଭୁବନେଶ୍ୱର: ଜାତୀୟସ୍ତରରେ ଷ୍ଟାର୍ଟଅପ୍‌ ର‍୍ୟାକିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିଛି ଓଡ଼ିଶା। ୨୦୧୯ ମସିହା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା ଷ୍ଟାର୍ଟଅପ୍ ର‍୍ୟାକିଙ୍ଗ୍‌ରେ ରାଜ୍ୟ ଏହି ସଫଳତା ପାଇଛି। ଇତିମଧ୍ୟରେ ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି। ଏଥିରେ ୬୦୦୦ରୁ ଅଧିକ ଯୁବକ ଯୁବତୀଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏନେଇ ମୁଖ୍ୟ ଶାସନ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଷ୍ଟାର୍ଟଅପ୍ ପରିଷଦର ବୈଠକରୁ ଜଣାପଡିଛି।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟରେ ଷ୍ଟାର୍ଟଅପ୍ ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା ନିମନ୍ତେ ତଥ୍ୟ ଉପସ୍ଥାପନ କରିଥିଲେ। ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଷ୍ଟାର୍ଟଅପ୍ ପରିବେଶକୁ ଅଧିକ କ୍ରିୟାଶୀଳ ଓ ଫଳପ୍ରସୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇନ୍‌କ୍ୟୁବେଟର ଓ ଷ୍ଟାର୍ଟଅପ୍‌ ମାନଙ୍କ ମଧ୍ୟରେ ଲଗାତାର ଯୋଗାଯୋଗ ଓ ସକ୍ରିୟ ସଂପର୍କ ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ବାରୋପ କରିଛନ୍ତି। ବୌଦ୍ଧିକ ସଂପତ୍ତି ପଂଜୀକରଣ ଉପରେ ଗୁରୁତ୍ବାରୋପ କରି ଏଥିନିମନ୍ତେ ସହାୟକ ନିୟାମକ ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବ ସଂପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଓଡ଼ିଶା ରାଜ୍ୟ କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କଳାହାଣ୍ଡିଠାରେ କାର୍ଯ୍ୟରତ ଅମ୍ବିକା ଓ ସଦାନନ୍ଦ ଶତପଥୀ ନାମକ ଷ୍ଟାର୍ଟଅପ୍‌ ଦମ୍ପତିଙ୍କ ସହ ଡିଜିଟାଲ ମୋଡ୍‌ରେ ଆଲୋଚନା କରିଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଏହି ଅବସରରେ ଜଣାଇଥିଲେ ଯେ ୨୦୧୭ ଜୁନ ମାସରେ ରାଜ୍ୟର ପ୍ରଥମ ଷ୍ଟାର୍ଟଅପ୍‌କୁ ସ୍ବୀକୃତି ମିଳିଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପ୍‌ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି। ଯେଉଁମାନଙ୍କ ମଧ୍ୟରେ ୨୫୦ ଜଣ ମହିଳା ଅଛନ୍ତି। ଇତି ମଧ୍ୟରେ ରାଜ୍ୟରେ ୧୭ଟି ଇନ୍‌କ୍ୟୁବେଟର, ୧୭ଟି ଅଣକ୍ଷୁଦ୍ର ଶିଳ୍ପ ଇନକ୍ୟୁବେଟର ଏବଂ ୧୩ଟି ନୋଡାଲ ସଂସ୍ଥା କାର୍ଯ୍ୟ କରୁଛନ୍ତି। ୧୯୬ଟି ଷ୍ଟାର୍ଟଅପକୁ ପ୍ରାୟ ୧୫ କୋଟିରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

Comments are closed.