Odisha Link
Bridging the Missing Links in Odisha

ମାଲକାନଗିରି ଜିଲ୍ଲାପାଳ ହତ୍ୟା ଅଭିଯୁକ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ପୂର୍ବରୁ ପୁଲିସ ଏହି ଘଟଣାକୁ ଆତ୍ମହତ୍ୟା ମାମଲା ଭାବେ ତଦନ୍ତ କରୁଥିଲା। ହେଲେ ମାଲକାନଗିରି ଏସ୍‌ଡିଜେଏମଙ୍କ ନିର୍ଦ୍ଦେଶ କ୍ରମେ ଶେଷରେ ହତ୍ୟା ମାମଲା ରୁଜୁ ହୋଇଛି। ରୁଜୁ ହୋଇଥିବା ନୂଆ ହତ୍ୟା ମାମଲାରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମ ମଧ୍ୟ ଅଭିଯୁକ୍ତ ତାଲିକାରେ ସ୍ଥାନ ପାଇଛି। ତାଙ୍କ ବ୍ୟତୀତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ ୩ଜଣ କର୍ମଚାରୀଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ପୁଲିସ ଦର୍ଶାଇଛି।

ଦେବ ନାରାୟଣଙ୍କ ମୃତ୍ୟୁର ପ୍ରାୟ ୧୧ମାସ ପରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଡିଏସ୍‌ପି ବଳଭଦ୍ର ଦୀପଙ୍କୁ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ଏବେ ଘଟଣାର ସାନି ତଦନ୍ତ ଆରମ୍ଭ ହେବ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ହତ୍ୟା ଏବଂ ପ୍ରମାଣ ନଷ୍ଟ ନେଇ ମାମଲା ରୁଜୁ କରିଛି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ୩ଜଣଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଏବଂ ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡିଏସପି ବଳଭଦ୍ର ଦୀପ ଘଟଣାର ତଦନ୍ତ କରି ଆସନ୍ତା ୨୪ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦାଖଲ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସ ୨୮ତାରିଖ ଦିନ ଦେବ ନାରାୟଣଙ୍କ ଶବ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର କରାଯାଇଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଦେବ ନାରାୟଣ ଆତ୍ମହତ୍ୟା କରିଥିବା ପ୍ରକାଶ କରିଥିଲେ। ହେଲେ ପରିବାର ଲୋକେ ଦେବ ନାରାୟଣଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ କରିଥିଲେ। ଏପରିକି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ତାଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ହତ୍ୟାକାରୀ ବୋଲି ଅଭିଯୋଗ ଆଣିଥିଲେ।

ଥାନାରେ ଏତଲା ଦେବା ସହ ପୁଲିସ ନିକଟରେ ଥିବା ଦେବ ନାରାୟଣଙ୍କ କିଛି ଜିନିଷ ଏବଂ ଭିସେରା ରିପୋର୍ଟ ମାଗିଥିଲେ। କିନ୍ତୁ ପୁଲିସ ଏବଂ ପ୍ରଶାସନ ଏହି ଘଟଣାରେ ତାଙ୍କୁ ଆଦୌ ସହଯୋଗ କରୁ ନଥିଲେ। ତେଣୁ ମାଲକାନଗିରି ଏସ୍‌ଡିଜେଏମଙ୍କ କୋର୍ଟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଡିଇଓ ଭି. ବେଣୁ, ଷ୍ଟେନୋ ପ୍ରକାଶ ସ୍ବାଇଁ ଏବଂ ଅବସରପ୍ରାପ୍ତ ଓଆରଏସ୍ ଭଗବାନ ପାଣିଗ୍ରାହୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଆବେଦନ କରିଥିଲେ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା। ଘଟଣା ସଂପର୍କିତ ଶହେ ପୁଷ୍ଠାର ବିବରଣୀ ମଧ୍ୟ କୋର୍ଟରେ ଦାଖଲ କରିଥିଲେ।

Comments are closed.