Odisha Link
Bridging the Missing Links in Odisha

ଭାରତରେ ଇଣ୍ଟରନେଟ୍‌କୁ ୨୫ବର୍ଷ: ୭୫ କୋଟି ଟପିଲା ଉପଭୋକ୍ତାଙ୍କ ସଂଖ୍ୟା

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ମୁଖ୍ୟ ଆବଶ୍ୟକତା ହେଉଛି ଖାଦ୍ୟ, ବସ୍ତ୍ର ଓ ବାସଗୃହ। ଏସବୁ ବ୍ୟତୀତ ଆଜିର ଆଧୁନିକ ଯୁଗରେ ମଣିଷ ସମାଜ ଆଉ ଦୁଇଟି ଜିନିଷକୁ ମଧ୍ୟ ନିତ୍ୟ ଆବଶ୍ୟକତାରେ ପରିଣତ କରି ସାରିିଛି। ସେହି ଦୁଇଟି ହେଲା ଫୋନ୍‌ ଓ ଇଣ୍ଟରନେଟ୍। ଆପଣ ଭାବୁଥିବେ ଆମେ ଏଭଳି କଥା କାହିଁକି କହୁଛୁ। କାରଣ ଇତିମଧ୍ୟରେ ଭାରତରେ ଇଣ୍ଟରନେଟ୍‌ ସେବାକୁ ୨୫ବର୍ଷ ପୂରଣ ହୋଇଛି।

୧୯୯୫ ଅଗଷ୍ଟ ୧୫ରେ ଭାରତରେ ଇଣ୍ଟର୍‌ନେଟ୍‌ ସର୍ବସାଧାରଣଙ୍କ ପାଇଁ ପ୍ରଚଳନ ହୋଇଥିଲା। ଏଇ ୨୫ ବର୍ଷରେ ଦେଶରେ ଇଣ୍ଟର୍‌ନେଟ୍‌ ଉପଭୋକ୍ତା ସଂଖ୍ୟା ୭୫ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଥିମଧ୍ୟରୁ ୫୦% ଗତ ୪ ବର୍ଷରେ ଯୋଡି ହୋଇଛନ୍ତି। ଡିଜିଟାଲ ଭାରତ ଅଭିଯାନ ମାଧ୍ୟମରେ ଏହା ସମ୍ଭବ ହୋଇଥିବା ଟେଲିକମ୍‌ ନିୟାମକ ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି।

୨୦୧୮ ସେପ୍ଟେମ୍ବରରେ ଭାରତର ଇଣ୍ଟର୍‌ନେଟ୍‌ ଉପଭୋକ୍ତା ସଂଖ୍ୟା ୫୦ କୋଟି ଅତିକ୍ରମ କରିଥିଲା। ଏହା ପରଠାରୁ ପ୍ରତି ମାସ ହାରାହାରି ୮୬ ଲକ୍ଷରୁ ଊଦ୍ଧ୍ୱର୍ ନୂଆ ଉପଭୋକ୍ତା ଯୋଡି ହୋଇଛନ୍ତି। ୨୦୧୬ ମାର୍ଚ୍ଚରେ ଦେଶରେ ମାତ୍ର ୩୪ କୋଟି ଇଣ୍ଟର୍‌ନେଟ୍‌ ଉପଭୋକ୍ତା ଥିଲେ। ମାତ୍ର ୪ ବର୍ଷରେ ଏହା ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି। ୨୦୧୫ରେ ଡିଜିଟାଲ ଭାରତ ଅଭିଯାନ ଆରମ୍ଭ ହୋଇଥିଲା। ଏହା ହିଁ ଇଣ୍ଟର୍‌ନେଟ୍‌ ଉପଭୋକ୍ତା ସଂଖ୍ୟା ବୃଦ୍ଧି ପାଇଁ ସହାୟକ ହୋଇଥିବା ଜଣାଯାଇଛି।

ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ଦେଶରେ ଇଣ୍ଟର୍‌ନେଟ୍‌ ଉପଭୋକ୍ତା ସଂଖ୍ୟା ୭୫ କୋଟି ଅତିକ୍ରମ କରିଛି। ଏହି ୭୫ କୋଟି ମଧ୍ୟରୁ ଅଧିକାଂଶ ସଂଯୋଗ ସହରାଞ୍ଚଳର ରହିଛି। ମୋବାଇଲ ଫୋନ୍‌ ଏବଂ ଡଙ୍ଗଲ୍‌ ଭଳି ୱେର୍‌ଲେସ୍‌ ଡିଭାଇସ୍‌ ଜରିଆରେ ଅଧିକାଂଶ ସହରୀ ଭାରତୀୟ ଇଣ୍ଟର୍‌ନେଟ୍‌ ଆକ୍ସେସ୍‌ କରୁଥିବା ଜଣାଯାଇଛି।

ଟ୍ରାଇ ତଥ୍ୟ ଅନୁସାରେ ଚଳିତବର୍ଷ ଜୁନ୍‌ ଶେଷ ସୁଦ୍ଧା ଦେଶରେ ଇଣ୍ଟର୍‌ନେଟ୍‌ ଉପଭୋକ୍ତା ସଂଖ୍ୟା ୭୪.୯ କୋଟି ରହିଥିଲା। ଏଥିମଧ୍ୟରୁ ୫ କୋଟି ନ୍ୟାରୋବ୍ୟାଣ୍ଡ୍‌ ଏବଂ ୬୯.୨ କୋଟି ବ୍ରଡ୍‌ବ୍ୟାଣ୍ଡ୍‌ ଉପଭୋକ୍ତା।ସୂଚନାଥାଉକି, ଗତ ସପ୍ତାହରେ ଉନ୍ମୋଚିତ ତଥ୍ୟ ଅନୁସାରେ, ଅଗଷ୍ଟ ଶେଷ ସୁଦ୍ଧା ମୋଟ ଇଣ୍ଟର୍‌ନେଟ୍‌ ସଂଯୋଗ ସଂଖ୍ୟା ୭୬.୭ କୋଟି ରହିଛି।

Comments are closed.