Odisha Link
Bridging the Missing Links in Odisha

ଭାରତୀୟଙ୍କୁ କ୍ଷମା ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭୁଲ୍‌ ପାଇଁ ଭାରତବାସୀଙ୍କୁ କ୍ଷମା ମାଗିଲା ଟ୍ୱିଟର। ଲେହ ଓ ଲଦାଖକୁ ଚାଇନାର ସ୍ଥାନ ଦର୍ଶାଇ ଭାରତର ଭାବାବେଗକୁ ଆଘାତ କରିଥିବାରୁ ଆଜି ଲିଖିତ ଭାବେ ସରକାରଙ୍କୁ କ୍ଷମା ମାଗିଛି ଟ୍ୱିଟର। ଭୁଲ୍ ନେଇ ଟ୍ୱିଟର ଭାରତର ସଂସଦୀୟ କମିଟିକୁ କ୍ଷମାପ୍ରାର୍ଥନା କରିବା ସହିତ ଖୁବ୍‌ଶୀଘ୍ର ତ୍ରୁଟି ସଂଶୋଧନ କରିବ ବୋଲି କହିଛି।

ମିଳିଥିବା ସୂଚନା ଅନୁସାରେ, ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏନେଇ ମିଳିତ ସଂସଦୀୟ କମିଟିକୁ ଜଣାଇଛି। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଉପରେ ମିଳିତ ସଂସଦୀୟ କମିଟିକୁ କହିବା ବେଳେ ନଭେମ୍ବର ୩୦ ତାରିଖ ସୁଦ୍ଧା ଏହି ତ୍ରୁଟି ସଂଶୋଧନ କରାଯିବ ବୋଲି ଟ୍ୱିଟର ପ୍ରତିଶ୍ରୁତି ଦେଇଛି। ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ ପାନେଲ୍‌ ଅଧ୍ୟକ୍ଷା ମିନାକ୍ଷୀ ଲେଖି।ମିନାକ୍ଷୀ କହିଛନ୍ତି “ ଭାରତୀୟ ମ୍ୟାପ୍‌ର ଭୁଲ୍‌ ଜିଓ ଟ୍ୟାଗିଂ ପାଇଁ ଟ୍ୱିଟର ଚିଫ୍ ପ୍ରାଇଭେସି ଅଫିସର ଡାମିନ କାରୀନ ହସ୍ତାକ୍ଷାର ଥିବା ଏକ ଆଫିଡେଫିଟ୍‌ ପଠାଇଛି।”

ଅକ୍ଟୋବର ଆରମ୍ବରୁ ପ୍ରତିରକ୍ଷା କ୍ଷେତ୍ରରେ ସାମ୍ବାଦିକତା କରୁଥିବା ନୀତୀନ ଗୋଖ୍‌ଲେ ଟ୍ୱିଟର୍‌ର ଏହି ଭୁଲ୍‌କୁ ଦେଖିଥିଲେ। ଲେହ ଚାଇନାର ଅଂଶବିଶେଷ ବୋଲି ଦେଖାଇଥିଲା ଟ୍ୱିଟର। ଏହାପରେ ଗୋଖ୍‌ଲେ ଏହି ଘଟଣାକୁ ଟ୍ୱିଟ୍ କରିବା ପରେ ବିବାଦ ଘନେଇଥିଲେ।

ଟ୍ୱିଟର ଲେହ ଓ ଲଦାଖକୁ ଚୀନ୍‌ର ଅଂଶ ଦର୍ଶାଇଥିବାରୁ ଟ୍ୱିଟର ଉପରେ କ୍ଷ୍ୟୁବ୍ଧ ହୋଇଥିଲେ ଭାରତ ସରକାର। ଏହାକୁ ନେଇ ବିବାଦ ବଢ଼ିବାରୁ ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଥିଲେ ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି। ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମିନାକ୍ଷୀ କହିଥିଲେ, ଏହା ଭାରତର ସାର୍ବଭୌମତ୍ୱ ପ୍ରତି ବିରୁଦ୍ଧାଚରଣ। ଏହା ଏକ ଫୌଜଦାରୀ ଅପରାଧ। ଏଥିପାଇଁ ଦୋଷୀକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ସେ କହିଥିଲେ।

Comments are closed.