Odisha Link
Bridging the Missing Links in Odisha

ପୁରୀ ହାଜତ ମୃତ୍ୟୁ ମାମଲା, ଆଇଜିଙ୍କ ତଦନ୍ତ ଆରମ୍ଭ

ପୁରୀ: ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶଙ୍କର ପୁଲିସ୍‌ ହେପାଜତରେ ଗତକାଲି ମୃତ୍ୟୁ ହୋଇଥିଲା। ହାଜତ ମୃତ୍ୟୁ ନେଇ ଗତକାଲି ପୁରୀ ସହରରେ ଉତ୍ତେଜନା ଦେଖାଯାଇଥିଲା। ଏହି ଘଟଣାରେ ଗତକାଲି ପୁରୀ ଯାଇ ଘଟଣାର ସମୀକ୍ଷା କରିଛନ୍ତି ଆଇଜି ଇନ୍‌ଚାର୍ଜ ଏସ୍ ପ୍ରବୀଣ କୁମାର। ପୁରୀରେ ଏସ୍‌ପି, ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି। ବାସେଳି ସାହି ଥାନା ପୁଲିସ୍‌ ନାଁରେ ଆସିଥିବା ଅଭିଯୋଗକୁ ବୁଝିବା ସହ ଜାତୀୟ ମାନବଧିକାର କମିଶନଙ୍କ ଗାଇଡଲାଇନ୍‌କୁ ଅନୁସରଣ କରିବାକୁ ଆଇଜି କହିଛନ୍ତି।

ପୁଲିସ୍‌ ହେପାଜତରେ କେ. ରମେଶ ମୃତ୍ୟୁ ହୋଇଥିବା ବେଳେ ଅଧିକ ଉତ୍ତେଜନା ଆଶଙ୍କାରେ ତରବରିଆ ଭାବେ ମୃତକଙ୍କ ବାପାଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରାଯାଇଥିଲା। ଏହି ଘଟଣାକୁ ନେଇ ପୁରୀରେ ମୁହାଁମୁହିଁ ହୋଇଥିଲେ ପୁଲିସ୍‌-ପବ୍ଲିକ।

ବାସେଳିସାହି ପୁଲିସ୍‌ର ଥାର୍ଡ ଡିଗ୍ରୀ ଯୋଗୁ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ସାଙ୍ଗକୁ ସ୍ଥାନୀୟ ଲୋକେ, ସମ୍ପର୍କୀୟ ଧାରଣା ଦେଇଥିଲେ। ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ଦାବିପତ୍ର ଦେଇଛି ବାର ଆସୋସିଏସନ୍। ତାସହ ଆଇଆଇସିଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ ଦାବି କରିଛି।

ଗତକାଲି ଏକ ପ୍ରେସ୍‌ ମିଟରେ ପୁରୀ ଏସ୍‌ପି କହିଛନ୍ତି, ମୃତ ରମେଶ ବୁଧବାର ରାତିରେ ମାରଣାସ୍ତ୍ର ଧରି ବୁଲୁଥିବା ଖବର ଥିଲା। ତାଙ୍କୁ ଧରିବାବେଳେ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା। ସେଥିରେ ତାର ମୃତ୍ୟୁ ହେବା ସହ କିଛି ପୁଲିସ୍‌ ମଧ୍ୟ ଆହତ ହୋଇଛନ୍ତି। ଏ ସମ୍ପର୍କରେ ଦଫା ୩୦୭ରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଜାତୀୟ ମାନବଧିକାର କମିଶନଙ୍କ ଗାଇଡଲାଇନ୍‌ ଅନୁସାରେ ପୁରା ଘଟଣାର ତଦନ୍ତ ହେବ ବୋଲି ଏସ୍‌ପି କହିଛନ୍ତି।

 

 

Comments are closed.