Odisha Link
Bridging the Missing Links in Odisha

ରାଜଧାନୀରେ ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ତପୋବନ ପେଟ୍ରୋଲପମ୍ପ ନିକଟରୁ ଆଜି ୩୦ ଲକ୍ଷ ଟଙ୍କା ସହ ଜଣେ ଯୁବକ ଅଟକ ରଖାଯାଇଛି। ଟଙ୍କା ସହ ମହାବୀର ପ୍ରସାଦ ଦାସ ନାମକ ଯୁବକଙ୍କୁ ଖଣ୍ଡଗିରି ପୁଲିସ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ଯୁବକଙ୍କୁ ଏତେ ପରିମାଣର ଟଙ୍କା କେଉଁଠୁ ପାଇଲେ ସେନେଇ ପୁଲିସ ତଦନ୍ତ କରୁଛି। ଯୁବକ ଜଣଙ୍କ ଏକ ଅଖା ବ୍ୟାଗରେ ଟଙ୍କା ରଖି ବସକୁ ଅପେକ୍ଷା କରିବା ସମୟରେ ଧରାପଡ଼ିଛି। ଉକ୍ତ ଯୁବକ ଜଣକ ପାରଳାଖେମୁଣ୍ଡିରୁ ଟଙ୍କା ଆଣିଥିବା ପୁଲିସ ଜାଣିବାକୁ ପାଇଛି।

ଏନେଇ ଖବର ପାଇ ମହାବୀରଙ୍କ ସାଙ୍ଗ ପ୍ରଳୟ କୁମାର ପାଢ଼ି ନାମକ ଯୁବକ ଥାନାରେ ପହଞ୍ଚି ଉକ୍ତ ଟଙ୍କା ତାଙ୍କର ବୋଲି କହିଛନ୍ତି। ସେ ପାନ ମସଲା, ଗୁଟଖା ବେପାର କରୁଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନକୁ ମାଲ୍‌ ପଠାଇଥାନ୍ତି। ମାତ୍ର ଲକ୍‌ଡାଉନ୍‌, ସଟଡାଉନ୍‌ ଯୋଗୁ ପାରଳାଖେମୁଣ୍ଡିରେ ତାଙ୍କର ଳକ୍ଷାଧିକ ଟଙ୍କା ବାକି ପଡ଼ିଥିଲା।

ଉକ୍ତ ଟଙ୍କା କଲେକସନ୍‌ କରିବା ନିମନ୍ତେ ସେ ନିଜ ସାଙ୍ଗ ମହାବୀରଙ୍କୁ ପାରଳାଖେମୁଣ୍ଡି ପଠାଇଥିଲେ। ମହାବୀର ସେଠାରୁ ୩୦ ଲକ୍ଷ ଟଙ୍କା ଆଣି ବସ୍‌ରେ ଆସି ଆଜି ସକାଳେ ପହଞ୍ଚିଥିବା ବେଳେ ପୁଲିସ୍‌ ତାକୁ ଅଟକ ରଖିଛି। ଏହି ଟଙ୍କା ସମ୍ପୂର୍ଣ୍ଣ ରୂପେ ତାଙ୍କର ହୋଇଥିବା ଏହାର ସମସ୍ତ ହିସାବ ଓ ଆବଶ୍ୟକ ସମସ୍ତ କାଗଜପତ୍ର ସେ ପୁଲିସ୍‌ ସମ୍ମୁଖରେ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.