ଆଜିଠୁ ଆରମ୍ଭ ଅନଲାଇନ୍ରେ ମିଡ଼ିଆ ମହାକୁମ୍ଭ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡ଼ିଆ ମହାକୁମ୍ଭର ଚତୁର୍ଥ ସଂଷ୍କରଣର ଇ-ଉଦ୍ଘାଟନ ପାଇଁ ଭର୍ଚୁଆଲ ମଂଚ ପ୍ରସ୍ତୁତ । ପୂର୍ବତନ ମୂଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୧ତମ ଜନ୍ମବାର୍ଷିକ ଉପଲକ୍ଷେ, ଆଜି ଠାରୁ ଏହି ଦୁଇ ଦିନିଆ ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ ଅନ୍ଲାଇନ୍ରେ ଅନୁଷ୍ଟିତ ହେବାକୁ ଯାଉଛି ।
ସୂଚନାଯୋଗ୍ୟ ଯେ, ଗତ ତିନି ବର୍ଷ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସ୍ଥାନୀୟ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇ.ଏମ.ଏସ୍) ଦ୍ୱାରା ଏହି ମହାସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଆସୁଛିି । କିନ୍ତୁ ଏବର୍ଷ କରୋନା କଟକଣାକୁ ଆଖି ଆଗରେ ରଖି ଏହି ସମ୍ମିଳନୀ ଅନଲାଇନ୍ରେ ଅନୁଷ୍ଠିତ ହେବ। ଦେଶ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୮୦୦ ରୁ ଅଧିକ ଜ୍ଞାନୀ, ବିଜ୍ଞାନୀ, ଗବେଷକ, ବିଦ୍ୟାର୍ଥୀ, ବୁଦ୍ଧିଜୀବି ଏବଂ ରାଜ୍ୟର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ଏହି ସମ୍ବିଳନୀରେ ଅଂଶଗ୍ରହଣ କରିବେ।
ଏବର୍ଷ ସମ୍ମିଳନୀର ଶୀର୍ଷକ “ସାମାଜିକ ପରିବର୍ତନ ପାଇଁ ଯୋଗାଯୋଗ” ଥିବାବେଳେ, ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ବିଶେଷଜ୍ଞ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ୪ଟି ବୈଷୟିକ କର୍ମଶାଳାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ବର୍ତମାନ ଦ୍ରୁତ ପରିବର୍ତନଶିଳ ସମାଜରେ ଯୋଗାଯୋଗ ଓ ଗଣମାଧ୍ୟମର ଭୁମିକା ଗୁରୁତ୍ୱପୂର୍ଣ୍ଣ।
ସାମାଜିକ ପରିବର୍ତନ ପାଇଁ ସମାଜର ପ୍ରତି ବର୍ଗର ଅବଦାନ ଥିବାବେଳେ ସଠିକ ଯୋଗାଯୋଗ, ତଥ୍ୟଭିତିକ ଆଲୋଚନା, ଭାଗୀଦାରି ଗଣମାଧ୍ୟମ, ଗୋଷ୍ଠୀ ଭିତିକ ସହଯୋଗ ଆଦି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଡି଼ଜିଟାଲ ଯୁଗରେ, କମ୍ପୁଟର, ମୋବାଇଲ, ଲାପ୍ଟପ୍ ଆଦି ବୈଷୟିକ ଯନ୍ତ୍ରପାତିର ସମାଜ ଉପରେ ପ୍ରଭାବ ଇତ୍ୟାଦି ଆଲୋଚନା ହେବ ବୋଲି ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇ.ଏମ୍.ଏସ୍.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ସୂଚନା ଦେଇଛନ୍ତି ।
ଏହାକୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଇନ୍ଧନ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ଉତ୍ସବରେ ଲୋକସଭା ସାଂସଦ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ଭର୍ତୁହରି ମହତାବ, ସି.ଇ.ସି. ର ନିର୍ଦ୍ଧେଶକ ପ୍ରଫେସର ଜଗତଭୂଷଣ ନଡ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଏମ.ଜି.ଏମ ବିଶ୍ୱବିଦ୍ୟାଳୟର କୁଳପତି ସୁଧିର ଗାଭାନେ, ହରିଦେବ ଯୋଶୀ ସାମ୍ବାଦିକ ଓ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ, ଜୟପୁରର କୁଳପତି ପ୍ରଫେସର୍ ଓମ୍ ପ୍ରକାଶ ତାନ୍ଭି, କୁସଭାଉ ଥାକ୍ରେ ସାମ୍ବାଦିକ ଓ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟର କୁଳପାତି ପ୍ରଫେସର୍ ବଳଦେବ ଶର୍ମା, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା ଏବଂ ଆଦାମସ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜଳ ଚୌଧୁରୀ ଅଂଶଗ୍ରହଣ କରିବେ।
ସମ୍ମିଳନୀର ପ୍ରଥମ ଦିନରେ ଗଣମାଧ୍ୟମର ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ତିନିଗୋଟି ପ୍ଲେନାରି ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଜାମିୟା ମିଲିୟା ଇସଲାମିୟା ବିଶ୍ୱବିଦ୍ୟାଳୟର ବିଭାଗୀୟ ନିର୍ଦ୍ଧେଶକ ପ୍ରଫେସର ବିଶ୍ୱଜିତ ଦାସ, କାଲିଫର୍ଣ୍ଣିୟା ବିଶ୍ୱବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗର ପ୍ରଫେସର ଦେବେନ୍ଦ୍ର ଶର୍ମା , ହାଇଦରାବାଦ୍ ବିଶ୍ୱବିଦ୍ୟାଳୟ ଗଣ ଯୋଗାଯୋଗ ବିଭାଗର ବରିଷ୍ଠ ପ୍ରଫେସର ବିନୋଦ ପାଭାରାଲା , ଗୁଜରାଟ ବିଶ୍ୱବିଦ୍ୟାଳୟ, ଅହମଦାବାଦ୍ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ମୁଖ୍ୟ ପ୍ରଫେସର୍ ସୋନାଲ ପାଣ୍ଡ୍ୟା ଏବଂ ଡି.ଏମ୍.ଇ. ମିଡିଆ ସ୍କୁଲ୍, ନୋଇଡା ର ଅଧ୍ୟକ୍ଷ ଡ. ଅମ୍ବ୍ରିସ୍ ସକ୍ସେନା ପ୍ରମୁଖ ଭାଗୀଦାରି ଗଣମାଧ୍ୟମ ଓ ଗଣ ଯୋଗାଯୋଗ ଉପରେ ଆଲୋଚନା କରିବେ ।
ବିଭିନ୍ନ ଅଧିବେଶନରେ ଲିଙ୍ଗଗତ ସମାନତା ଓ ଗଣମାଧ୍ୟମର ଭୂମିକା, ବୈଷୟିକ ଯୋଗାଯୋଗ, ସାମାଜିକ ପରିବର୍ତନ ଓ ସ୍ଥାୟୀ ବିକାଶମୁଖୀ ଲକ୍ଷ୍ୟ ଆଦି ବିଷୟବସ୍ତୁ ଉପରେ ଆଲୋଚନା ଅନୁଷ୍ଠିତ ହେବ । ଏହି ଦୁଇଦିନିଆ ସମ୍ମିଳନୀଟି ଫେସ୍ବୁକ୍ ଏବଂ ୟୁଟ୍ୟୁବ୍ ରେ ସିଧାପ୍ରସାରଣ ହେବ ।
ଉଦ୍ଯାପନୀ ସମାରୋହରେ ଡଃ ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଧେଶକ ଡଃ ଦେବେନ୍ଦ୍ର ପ୍ରସାଦ ମାଝି, ମାଖନଲାଲ୍ ଚତୁର୍ବେଦୀ ଜାତୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ କେ.ଜି. ସୁରେଶ, କଲିକତା ସ୍ଥିତ ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ସ୍ନେହାଶିଷ ସୁର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Comments are closed.