ପ୍ରତି ଲୋକଙ୍କୁ ଟିକାକରଣ ଏକ ଜାତୀୟ ପ୍ରତିଶ୍ରୁତି: ମୋଦି

ନୂଆଦିଲ୍ଲୀ: ଦେଶ ଓ ରାଜ୍ୟର କୋଭିଡ ସ୍ଥିତିନେଇ ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘କରୋନାର ଚତୁର୍ଥ ପର୍ଯ୍ୟାୟରେ ଏବେ ଆମେ ପହଞ୍ଚି ସାରିଛେ। ଭାଇରସ୍ ଦୁର୍ବଳ ହୋଇଗଲା ବୋଲି ଭାବନ୍ତୁ ନାହିଁ। ଗଭୀର ସମୁଦ୍ରର ବିପଦରୁ ବାହାରି ଆମେ କୂଳରେ ଲାଗିଛୁ। କରୋନା ମୁକାବିଲା ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମତାମତ ମାଗିଛନ୍ତି ମୋଦି। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁ ହାର ଏବଂ ସଂକ୍ରମିତ ହାର ବହୁଲ ଭଲ ରହିଛି ବୋଲି ସେ କହିଛନ୍ତି।
ମୋଦି ଆହୁରି କହିଛନ୍ତି, ଟିକା ଉତ୍ପାଦନକାରୀ ବିଭିନ୍ନ ସଂସ୍ଥା ସହ ସରକାର ଯୋଗାଯୋଗରେ ରହିଛନ୍ତି। ଟିକାର ଟିକିନିଖି ଅଗ୍ରଗତି ଉପରେ ଭାରତ ନଜର ରଖିଛି। ଟିକାର ଗୋଟିଏ, ଦୁଇଟି ବା ତିନିଟି ଡୋଜ୍ ଦିଆଯିବ, ସ୍ଥିର ହୋଇନି। ଟିକାର ଦର ମଧ୍ୟ କେତେ ରହିବ, ଏଯାଏ ସ୍ଥିର କରାଯାଇନି।
ପ୍ରତି ଲୋକଙ୍କୁ ଟିକାକରଣ କରିବା ଏକ ଜାତୀୟ ପ୍ରତିଶ୍ରୁତି ବୋଲି ମୋଦି ଏହି ଅବସରରେ କହିଛନ୍ତି। ଲୋକଙ୍କୁ ଦିଆଯିବାକୁ ଥିବା ଟିକା ସବୁ ଦୃଷ୍ଟିରୁ ସୁରକ୍ଷିତ ବାଞ୍ଛନୀୟ। ରାଜ୍ୟ ସହ ସମନ୍ୱୟ ରକ୍ଷା କରାଯାଇ ଟିକା ଆବଣ୍ଟନ କରାଯିବ। ଟିକା ସଂରକ୍ଷଣ ପାଇଁ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା କରିବା ଦରକାର ବୋଲି ମୋଦି କହିଛନ୍ତି।କରୋନା ଟିକା ବିତରଣ ନେଇ ବ୍ଲକଠୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସବୁଠି ପରିଚଳାନ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି।