Odisha Link
Bridging the Missing Links in Odisha

ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ହେଲେ ଜଷ୍ଟିସ ବିକେ ପଟେଲ

ଭୁବନେଶ୍ୱର: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିକେ ପଟେଲଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଏନେଇ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ବିପି ଦାଶ ଚଳିତ ମାସ ୧୪ତାରିଖରେ ଅଧ୍ୟକ୍ଷ ପଦବୀରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା।

ସୂଚନା ଅନୁସାରେ, ଗତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଷ୍ଟିସ ବିକେ ପଟେଲଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଥିଲା। ରାଜ୍ୟପାଳଙ୍କ ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜଷ୍ଟିସ ପଟେଲ ୨୦୧୭ ଜୁନ୍ ମାସରେ ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ତେବେ ଜାନୁୟାରୀ ମାସରେ ସେ ଏହି ପଦବୀରୁ ଅବସର ନେଇଥିଲେ। ଏବେ ତାଙ୍କୁ ରାଜ୍ୟ ସରକାର ନୂତନ ନିଯୁକ୍ତି ଦେଇଛନ୍ତି।

ଜଷ୍ଟିସ ପଟେଲ ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି। ସେ ୨୦୦୮ ଜାନୁୟାରୀରୁ ୨୦୧୫ ଜାନୁୟାରୀ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ସେ ରାଜ୍ୟ ସରକାରଙ୍କ ଅନେକ ପଦପଦବୀରେ କାର୍ଯ୍ୟ କରିଛନ୍ତି। ରାଜ୍ୟ ମାନବାଧିକାର କମିଶନରେ ଏବେ ଜଷ୍ଟିସ ରଘୁବୀର ଦାଶ ଓ ଅସିମ୍ ଅମିତାଭ ଦାଶ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

Comments are closed.