Odisha Link
Bridging the Missing Links in Odisha

ପରୀ ଘରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା

ନୟାଗଡ଼: ପରୀ ଘରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନିମନ୍ତେ ଗଠନ ହୋଇଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ପରୀ ଘରେ। ମଙ୍ଗଳବାର ଦିନ ଅପରାହ୍ଣରେ ବୋଥ୍ରା ନୟାଗଡ଼ରେ ପହଞ୍ଚି ପରୀ ହତ୍ୟା ଘଟଣାର ତଦନ୍ତ କରିଛନ୍ତି। ଅରୁଣ ବୋଥ୍ରାଙ୍କ ସହିତ ଏକ ୫ଣିଆ ଟିମ୍‌ ଆସି ନୟାଗଡ଼ ପରୀ ହତ୍ୟା ଘଟଣାର ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଆଲୋଚନା ପରେ ଆଇଜି ପରୀର ଗାଁ ଯଦୁପୁରକୁ ଯାଇଥିଲେ। ସେଠାରେ ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନୀଙ୍କୁ ଭେଟି ସମସ୍ତ ଘଟଣା ପଚାରି ବୁଝିଥିଲେ। ଏପରିକି ପରୀର ଶବ ମିଳିଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ। ଆଇଜିଙ୍କ ସହ ସିଆଇଡି ଏସ୍‌ପି ଆର୍‌.କେ ଦୋରା, ଏଏସ୍‌ପି ଆର୍‌.ସି ଥମ୍ବ, ଇନ୍‌ସ୍ପେକ୍ଟର ନରେନ୍ଦ୍ର କୁମାର ବେହେରା ଓ ଇନ୍‌ସ୍ପେକ୍ଟର ମମତା ରାଣୀ ପଣ୍ଡା ପ୍ରମୁଖ ଯାଇଥିଲେ।

ଆଇଜି ଶ୍ରୀ ବୋଥ୍ରା ସାମ୍ବାଦିକମାନଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ। ଦିନକୁ ଦିନ ପରୀ ହତ୍ୟା ଘଟଣା ଉଗ୍ର ରୂପ ନେଉଥିବାବେଳେ ଆଇଜି ଜିଲ୍ଲା ପୁଲିସ ଅଧିକାରୀମାନଙ୍କ ସହ କଡ଼ା ମନୋଭାବ ନେଇ ଆଲୋଚନା କରିଥିଲେ।

ପ୍ରକାଶ ଯେ ହତ୍ୟାର ଶିକାର ହୋଇଥିବା ୫ବର୍ଷର ଝିଅ ପରୀକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରି ପରୀର ବାପା, ମା’ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ପରେ ତାଙ୍କ ଘରକୁ ବିଭିନ୍ନ ଦଳର ନେତା ଓ ପୁଲିସ ଉଚ୍ଚ ଅଧିକାରୀମାନଙ୍କ ସୁଅ ଛୁଟିବାରେ ଲାଗିଛି।

Comments are closed.