Odisha Link
Bridging the Missing Links in Odisha

ଆନ୍ଧ୍ର ପ୍ରଦେଶରେ ଅଜଣା ରୋଗ ଆତଙ୍କ: ୩୫୦ରୁ ଅଧିକ ଅସୁସ୍ଥ, ଜଣେ ମୃତ

ହାଇଦ୍ରାବାଦ: ମହାମାରୀ କରୋନା ଭାଇରସରେ ସାରା ବିଶ୍ବବାସୀ ଅସ୍ତବ୍ୟସ୍ତ। ପୂର୍ବ ଅପେକ୍ଷା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଏସବୁ ମଧ୍ୟରେ ଆଉ ଏକ ଅଜଣା ରୋଗ ଆନ୍ଧ୍ର ପ୍ରଦେଶର ଏଲୁରୁରେ ବ୍ୟାପିବାରେ ଲାଗିଛି। ଯାହାଫଳରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଆତଙ୍କିତ ରହିଛନ୍ତି। ରବିବାର ରାତିରେ ଏହି ଅଜଣା ରୋଗରେ ପୀଡିତ ହୋଇଥିବା ରୋଗୀଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଛି। ଗତ ରାତିରେ ଏହି ଅଜଣା ରୋଗରେ ପୀଡିତ ହେବାପରେ ୭୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ଏହି ଅଜଣା ରୋଗରେ ଏପର୍ଯ୍ୟନ୍ତ ୩୫୦ ଜଣ ପୀଡିତ ହୋଇସାରିଛନ୍ତି। ୧୮୬ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ୧୬୪ ଜଣଙ୍କର ଏବେ ବି ଚିକତ୍ସା ଚାଲିଛି। ଚିକିତ୍ସା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି।

ସ୍ଥାନୀୟ ପ୍ରଶାସନ ଏହି ଅଜଣା ରୋଗର ପ୍ରକୋପକୁ ଦେଖି ଏଲୁରୁର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି। ମଙ୍ଗଳାଗିରି ଏକ୍ସର ଡାକ୍ତର, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍(ହାଇଦ୍ରାବାଦ)ର ବୈଜ୍ଞାନିକଙ୍କ ଟିମ୍ କେମିକାଲ ଟେକ୍ନୋଲୋଜିରେ ପାଣିର ନମୁନା ଏକାଠି କରିବାକୁ ଏଲୁରୁ ପଠାଯାଇଛି। ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ନର୍ଥ ଷ୍ଟ୍ରିଟ୍, ସାଉଥ୍ ଷ୍ଟ୍ରିଟ୍, ଅରୁନ୍ଧତୀପେଟ ଏବଂ ଅଶୋକ ନଗର ଅଞ୍ଚଳବାସୀ ଅଛନ୍ତି। ମୁଣ୍ଡବିନ୍ଧା, ବାନ୍ତି, ମୁଣ୍ଡ ବୁଲାଇବା ଏବଂ ଅପସ୍ମାର ବାତ ମାରିବା ଭଳି ଲକ୍ଷଣ ରୋଗୀଙ୍କ ନିକଟରେ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗମୋହନ ରେଡ୍ଡୀ ସୋମବାର ଏଲୁରୁ ଗସ୍ତରେ ଯାଇ ହସ୍ପିଟାଲରେ ଅସୁସ୍ଥ ଲୋକଙ୍କର ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର କାରଣ ଓ ପରିସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହିତ ବୈଠକ କରିବେ ବୋଲି ସୂଚନା ରହିଛି।

Comments are closed.