Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: SITର ସନ୍ଦେହ ଘେରରେ ବିଜ୍ଞାନଛାତ୍ର, ରହସ୍ୟମୟ ଫୋଲ୍ଡରକୁ ନେଇ ଚାଲିଛି ତନାଘନା

ନୟାଗଡ଼: ରାଜ୍ୟରେ ବର୍ତ୍ତମାନ ନୟାଗଡ଼ର ୫ ବର୍ଷର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡକୁ ନେଇ ଲାଗି ରହିଛି ଚର୍ଚ୍ଚା। ପରୀ ହତ୍ୟା ମାମଲାକୁ ନେଇ ବହୁ ରାଜନୈତିକ ବୟାନବାଜି ମଧ୍ୟ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ତନାଘନା ଚଳାଇଛନ୍ତି। ଏକ ମୋବାଇଲ ଫୋନ୍‌କୁ ନେଇ ଲାଗି ରହିଛି ଚର୍ଚ୍ଚା ଡିସେମ୍ବର ୨ ତାରିଖଠାରୁ ଏକ ମୋବାଇଲ୍‌ ଫୋନ୍‌ ଏସ୍‌ଆଇଟି ହାତରେ ରହିଛି। ମୋବାଇଲ ପାସ୍‌ଓ୍ବାର୍ଡକୁ ନେଇ ଏବେ ଚାଲିଛି ତନାଘନା।

ଏସବୁ ମଧ୍ୟରେ ମୋବାଇଲ ଭିତରେ ଥିବା ଏକ ରହସ୍ୟମୟ ଫୋଲ୍ଡରକୁ ନେଇ ଗୁରୁବାର ବେଶି ଛାନଭିନ୍‌ ହୋଇଥିଲା। ଏହି ଫୋଲ୍ଡର ଭିତରେ କ’ଣ ରହିଛି ବୋଲି ସନ୍ଦେହରେ ଅଚାନକ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁର ଗାଁକୁ ଯାଇ ମୋବାଇଲ୍‌ ବ୍ୟବହାରକାରୀଙ୍କୁ ନାନା ପ୍ରଶ୍ନ ପଚାରିଥିଲେ।

ସୂଚନାଥାଉକି, ନିଖୋଜ ପୂର୍ବଦିନ ପରୀ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଜାମୁକୋଳି ଖାଇବାକୁ ଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ବିଜ୍ଞାନ ପଢ଼ୁଆ ପୁଅ ଉପରେ ପୁଲିସ ପ୍ରଥମରୁ ହିଁ ସନ୍ଦେହ ପ୍ରକଟ କରିଥିଲା। ଏସ୍‌ଆଇଟି ଗତ ୧ ତାରିଖରେ ନୟାଗଡ଼ରେ ପହଞ୍ଚିବା ପରେ ୨ ତାରିଖରେ ଏହି ୧୮ ବର୍ଷୀୟ ଯୁବକଙ୍କୁ ଉଠାଇ ଆଣି ରକ୍ତ ପରୀକ୍ଷା କରାଇଥିଲା। ସେ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌କୁ ଏସ୍‌ଆଇଟି ସେ ଦିନ ହିଁ ରଖି ଦେଇଥିଲା।

ଗୁରୁବାର ଅଚାନକ ଆଇଜି ଅରୁଣ ବୋଥ୍ରା ତାଙ୍କ ଘରେ ପହଁଞ୍ଚ ମୋବାଇଲରେ ରହିଥିବା ଏକ ସିକ୍ରେଟ ଫୋଲ୍ଡର ପାସ୍‌ଓ୍ବାର୍ଡ ଖୋଲିବାକୁ କହିଥିଲେ। ମାତ୍ର ଛାତ୍ର ଜଣଙ୍କ ପାସ୍‌ଓ୍ବାର୍ଡ ପକାଇ ନଥିବା ଏବଂ କିଏ ପକାଇଛି ଜାଣିନଥିବା କହି ବିଭିନ୍ନ ବାହାନା ଦେଖାଇଥିଲେ। ଏହାକୁ ନେଇ ଆଇଜି ଯୁବକଙ୍କୁ ଅନେକ ସମୟ ପଚରାଉଚରା କରିବା ପରେ ଫେରିଯାଇଥିବା ସୂଚନା ରହିଛି।

Comments are closed.