Odisha Link
Bridging the Missing Links in Odisha

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ଆସନ୍ତା ୨୭ ତାରିଖରୁ ଏକ୍ରାମ କ୍ଷେତ୍ର ଅଧିପତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୨୭ ତାରିଖରୁ ମନ୍ଦିରର ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସୁବିଧା ପାଇବେ। ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡିସେମ୍ବର ୩୧ ଯାଏଁ ଦର୍ଶନ ସୁବିଧା ମିଳିବ।

ନୂଆବର୍ଷ ଓ ତା’ପରଦିନ ଅର୍ଥାତ୍ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିରରେ ଦର୍ଶନ ବନ୍ଦ ରହିବ। ୩ ତାରିଖରୁ ୫ ତାରିଖ ଯାଏଁ ଭୁବନେଶ୍ୱର ଓ ଆଖପାଖ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ। ଏଥିପାଇଁ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ୬ ତାରିଖରୁ ସମସ୍ତ ଭକ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ମନ୍ଦିର ଗେଟରେ ସମସ୍ତ ଶ୍ରଦ୍ଧାଳୁଙ୍କ ସ୍କ୍ରିନିଂ ପରେ ଦର୍ଶନ ପାଇଁ ଭିତରକୁ ଛଡ଼ାଯିବ।

ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଥିବାବେଳେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବ। ପ୍ରତ୍ୟେକ ଦିନ ୫ ଶହ ଲୋକ ଦର୍ଶନ କରିପାରିବେ। କାହାରିକୁ ଗର୍ଭଗୃହକୁ ଯାଇ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ। ବିଏମସି ସହ ବୈଠକ ପରେ ଏନେଇ ସୂଚନା ଦିଆଯାଇଛି।

ବିଏମ୍‌ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, ଯେଉଁମାନେ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଚାହିଁବେ ସେମାନେ ୪ରୁ ୫ ଦିନ ମଧ୍ୟରେ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ। ଏତଦ୍‌ ବ୍ୟତୀତ ମନ୍ଦିର ନିକଟରେ  ଏକ କରୋନା ପରୀକ୍ଷା କେନ୍ଦ୍ର ରହିବ। ପଜିଟିଭ ବ୍ୟକ୍ତିମାନଙ୍କୁ ଦର୍ଶନ ସୁଯୋଗ ମିଳିପାରିବ ନାହିଁ। ଏତଦ୍‌ ବ୍ୟତୀତ ଆସନ୍ତା ୩ ତାରିଖ ଠାରୁ ମହାନଗର ନିଗମ ଅଂଚଳରେ ଯେଉଁମାନେ ମନ୍ଦିର ଖୋଲିବାକୁ ଚାହୁଁଛନ୍ତି ଅଣ୍ଡରଟେକିଂ ଦେଇ ଖୋଲି ପାରିବେ।

ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ବଡ଼ ପର୍ବ ବଡ଼ଦିନ ଆଉ ମାତ୍ର ୧୦ ଦିନ ଅଛି। ଏହାକୁ ଦୃଷ୍ଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୫ ତାରିଖରେ ଖ୍ରୀଷ୍ଟୀୟ ଧର୍ମାବଲମ୍ବୀ ପର୍ବ ପାଳନ କରିବାକୁ ହେଲେ ଅଣ୍ଡରଟେକିଂ ଦେବାକୁ ହେବ। ସେମାନେ ସାମାଜିକ ଦୂରତାକୁ ରକ୍ଷା କରି ପାଳନ କରିପାରିବେ। ସେହିଭଳି ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପୂର୍ବରୁ ଧର୍ମାନୁଷ୍ଠାନର କମିଟିମାନେ ଆମକୁ ଅଣ୍ଡରଟେକିଂ ଜରିଆରେ ପ୍ରସ୍ତାବ ଦେଇପାରିବେ। ପ୍ରସ୍ତାବକୁ ଦେଖି ବିଏମ୍‌ସି ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବ।

Comments are closed.