ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ଗସ୍ତ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର। ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମଙ୍ଗଳବାର ଦିନ ହିଟ୍ ମ୍ୟାନ୍ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ରୋହିତ ଦୁବାଇ ଦେଇ ଅଷ୍ଟ୍ରେଲିଆରେ ପହଞ୍ଚିବେ। ସେଠାରେ ପହଞ୍ଚିବା ପରେ କ୍ଵାରେଣ୍ଟାଇନ୍ରେ ରହି ନିଜର ଫିଟନେସ୍ ଉପରେ କାମ କରିବେ। ପରେ ସେ ଶେଷ ଦୁଇଟି ଟେଷ୍ଟ ଖେଳିବେ ନା ନାହିଁ ସେ ନେଇ ବିସିସିଆଇ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ।
ଏନସିଏର ଫିଜିଓ ଶୁକ୍ରବାର ରୋହିତଙ୍କୁ କ୍ଲିନଚିଟ୍ ଦେଇଥିଲେ। ଏହା ପରେ ବିସିସିଆଇ ଶନିବାର ଘୋଷଣା କରିଥିଲା ଯେ ରୋହିତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ନିମନ୍ତେ ଫିଟ୍ ହୋଇ ଯାଇଛନ୍ତି। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେ ୧୪ ଦିନିଆ କ୍ଵାରେଣ୍ଟାଇନ୍ରେ ରହିବେ। ଏହି ସମୟରେ ନିଜର ଫିଟନେସ୍ ଉପରେ କାମ କରିବେ। କ୍ଵାରେଣ୍ଟାଇନ୍ ଅବଧୀ ସମାପ୍ତ ପରେ ଡାକ୍ତରୀ ଦଳ ତାଙ୍କ ଫିଟନେସ୍ ଯାଞ୍ଚ କରିବେ। ଏହା ପରେ ସେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଶେଷ ଦୁଇଟି ମ୍ୟାଚ୍ ଖେଳିବେ କି ନାହିଁ ନିଷ୍ପତ୍ତି ନିଆଯିବ।
ସୂଚନାଥାଉକି, ୟୁଏଇରେ ଆୟୋଜିତ ୧୩ତମ ଆଇପିଏଲ ସିଜିନ ସମୟରେ ରୋହିତ ଶର୍ମା ଆହତ ହୋଇଥିଲେ। ଆହତ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ରୁ ବାଦ୍ ପଡିଥିଲେ। ପରେ ଆଘାତ ସ୍ଥିତିରେ ତାଙ୍କୁ ଟେଷ୍ଟ ସିରିଜ୍ ପାଇଁ ଚୟନ କରାଯାଇଥିଲା। କିନ୍ତୁ ପାରିବାରିକ କାରଣରୁ ସେ ୟୁଏଇରୁ ସିଧା ଭାରତ ଫେରି ଆସିଥିଲେ। ଏହା ପରେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ଫିଟନେସ୍ ପାଇଁ ପ୍ରଶିକ୍ଷଣ ନେଇଥିଲେ।
Comments are closed.