Odisha Link
Bridging the Missing Links in Odisha

ଖସିବ ପାରଦ, ଜାଡ଼ରେ ଥରିବ ଓଡ଼ିଶା

ଭୁବନେଶ୍ୱର: କିଛିଦିନ ହେବେ ରାଜ୍ୟରେ ଶୀତର ଲହରୀ କମ ରହିଛି। ଗତ କିଛି ଦିନ ହେଲା ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଥିଲା। ତେବେ ଆଗକୁ ହାଡଭଙ୍ଗା ଜାଡରେ ଥରିବ ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା। ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ. ଚଳିତବର୍ଷ ଉତ୍ତର ଭାରତରେ ଭୀଷଣ ଥଣ୍ଡା ଜାରି ରହିଛି। ଦିନେ ଦୁଇଦିନ ଭିତରେ ଉତ୍ତର ଭାରତରୁ ପ୍ରବାହିତ ଥଣ୍ଡା ପବନ ବହିବ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଭୀଷଣ ଥଣ୍ଡା ଅନୁଭୂତ ହେବ।

୧୯ ତାରିଖ ପରଠାରୁ ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଫଳରେ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଶୀତ ଲହରୀ ଜାରି ରହିବ। ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜରେ ତାପମାତ୍ରା ୧୦ରୁ ୧୨ ଡିଗ୍ରିକୁ ଖସି ଆସିବ।

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନବରଙ୍ଗପୁରରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comments are closed.