ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ ବୋଲିଂ, ୧୯ ରନରେ ଟିମ୍ ଇଣ୍ଡିଆର ଅଧା ଟିମ୍ ଆଉଟ୍

ଆଡିଲେଡ: ଐତିହାସିକ ପିଙ୍କ ବଲ ଟେଷ୍ଟରେ ବୋଲରଙ୍କ ଆଧିପତ୍ୟ ଜାରି ରହିଛି। ଟିମ୍ ଇଣ୍ଡିଆର ବୋଲରଙ୍କ ପରେ ଅଷ୍ଟ୍ରେଲିଆ ବୋଲରଙ୍କ ଦମଦାର ପ୍ରଦର୍ଶନ। ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ଥିବାବେଳେ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ।
ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ବିତୀୟ ଦିନରେ ହିଁ ଘରୋଇ ଅଷ୍ଟ୍ରେଲିଆ ଦଳ ଅଲଆଉଟ୍ ହୋଇ ଯାଇଥିଲା। ଟିମ୍ ଇଣ୍ଡିଆର ବୋଲିଂରେ ଘାଇଲା ହୋଇ ୧୯୧ ରନରେ ଅଲଆଉଟ୍ ହୋଇଯାଇଥିଲା ପେନ୍ଙ୍କ କଙ୍ଗାରୁ ବାହିନୀ। ଯାହାଫଳରେ ଭାରତ ଶୁକ୍ରବାର ଦିନ ହିଁ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ଗୋଟିଏ ଓ୍ବିକେଟ ହରାଇ ୮ ରନ କରିଥିଲା। ବୁମରା ଓ ଅଗ୍ରଓ୍ବାଲ ନଟ୍ଆଉଟ୍ ରହିଥିଲେ
ତୃତୀୟ ଦିନ ଟିମ୍ ଇଣ୍ଡିଆ ୮ରନରୁ ବ୍ୟାଟଂ କରିବାକୁ ଆସିଥିଲା। ତୃତୀୟ ଦିନର ଦ୍ବିତୀୟ ଓଭରରେ ହିଁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଥିଲା। ବୁମରା ୨ ରନ୍ କରି କମପିନ୍ସଙ୍କ ଶିକାର ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ବର ପୂଜାରା(୦), ମୟଙ୍କ ଅଗ୍ରଓ୍ବାଲ (୯) ବିରାଟ କୋହଲି (୪) ଓ ରାହାଣେ (୦) ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଦଳୀୟ ସ୍କୋର ୧୫ ଥିବା ବେଳେ ଅଷ୍ଟ୍ରେଲିଆ ପେସ୍ ବାହିନୀ ଟିମ୍ ଇଣ୍ଡିଆର ଲଗାତାର ୩ଟି ଜଣ ବ୍ୟାଟସମ୍ୟାନ୍ଙ୍କୁ ପ୍ୟାଭିଲିଅନ୍ ପଠାଇଥିଲେ। ଯାହାଫଳରେ ସଙ୍କଟରେ ଟିମ୍ ଇଣ୍ଡିଆ।
ଖବର ଲେଖା ହେବା ସୁଦ୍ଧା ବର୍ତ୍ତମାନ କ୍ରିଜରେ ହନୁମା ବିହାରୀ(୧) ଓ ଋଦ୍ଧିମାନ ଶାହା (୪) ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି। ଯାହାଫଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠୁ ୭୯ ରନ୍ ଆଗରେ ରହିଛି।