Odisha Link
Bridging the Missing Links in Odisha

ଆଜିଠୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ। ସଡ଼କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଦେଶରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଏ। ୩୨ତମ ଜାତୀୟ ସଡକ ସୁରକ୍ଷା ଅବସରରେ ରାଜ୍ୟ ସ୍ତରୀୟ ସଡକ ସୁରକ୍ଷା ପଦଯାତ୍ରା ଆରମ୍ଭ ହୋଇଛି। କିଟ କ୍ୟାମ୍ପସରୁ ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟ ଟ୍ରାକ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ ହୋଇଛି। ପଦଯାତ୍ରାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସାମିଲ ହୋଇଛନ୍ତି । ପରିବହନ କମିଶନର ଓ ପ୍ରମୁଖ ସଚିବ ମଧ୍ୟ ପଦଯାତ୍ରାରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ନିଆରା ସଚେତନାବାର୍ତ୍ତା ଦେଇଛନ୍ତି ଯମ ବେଶୀ କଳାକାର। ଏଥିରେ ଯମପୁରରୁ ମର୍ତ୍ତ୍ୟମଣ୍ଡଳକୁ ଯମରାଜ ଆସି ବାଣ୍ଟୁଛନ୍ତି ସଡକ ସୁରକ୍ଷାର ବାର୍ତ୍ତା । ୩୨ତମ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା । ଯମରାଜଙ୍କ ସହ ଚିତ୍ରଗୁପ୍ତ ମିଶି ଜନସଚେତନତାର ବାର୍ତ୍ତା ଦେଇଛନ୍ତି ।

ଆଜି ବିଜ୍ଞାନ ଭବନରେ ଜାତୀୟ ସଡ଼କ ସୁରକ୍ଷା ମାସ ମହୋତ୍ସବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‍ ଗଡ଼କରୀ ଉଦ୍‍ଘାଟନ କରିବେ। ମାସେବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ଉପରେ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

ଏହାଛଡା ୱାଘା ସୀମାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ ଜାତୀୟ ଚାମ୍ପିୟନ୍‍ସିପ ସେଫ୍‍ ସ୍ପିଡ୍‍ ଚ୍ୟାଲେଞ୍ଜ୍‍ର ଶୁଭାରମ୍ଭ ସହ ସଡ଼କ ସୁରକ୍ଷା ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଭିନ୍ନ ରାଜ୍ୟ ସରକାର, ବେସରକାରୀ ସଂସ୍ଥା ଏବଂ ବୀମା କମ୍ପାନୀଗୁଡ଼ିକ ସେମିନାର୍‍, ୱାକାଥନ୍‍ ଏବଂ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବେ।

Comments are closed.