Odisha Link
Bridging the Missing Links in Odisha

ସୟଦ ମୁସ୍ତାକ ଅଲି ଟ୍ରଫି: ଆଜି ଫାଇନାଲ, ବରୋଦା-ତାମିଲନାଡ଼ୁ ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲି ଟ୍ରଫି ଟି-ଟ୍ୱେଣ୍ଟି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମୁକାବିଲା ଆଜି। କରୋନା କାଳରେ ଦେଶରେ ଖେଳାଯାଉଥିବା ପ୍ରଥମ ଘରୋଇ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ବରୋଦା ଓ ତାମିଲନାଡ଼ୁ ସାମ୍ନାସାମ୍ନି ହେବ । ଉଭୟ ଦଳ ଅପରାଜେୟ ଥିବାବେଳେ ଦୃଢ଼ ମନୋବଳରେ ରହିଛନ୍ତି। ବରୋଦା ଦଳ ତୃତୀୟ ଥର ଏବଂ ତାମିଲନାଡ଼ୁ ଦ୍ୱିତୀୟ ଥର ଚାମ୍ପିଅନ୍‌ ହେବାକୁ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି। ଏଥିସହିତ ବରୋଦା ବୋଲିଂ ବିଭାଗ ଓ ତାମିଲନାଡ଼ୁ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଆଜି ସନ୍ଧ୍ୟା ୭ଟାରେ ସର୍ଦ୍ଦାର ପଟେଲ ଷ୍ଟାଡିୟମ ମୋଟେରାରେ ଖେଳାଯିବ।

ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧିନ ତାମିଲନାଡ଼ୁ ଦଳ ଟାଇଟଲ୍‌ ଦାବିଦାର ରହିଛି । ଗ୍ରୁପ୍‌ (ବି) ପର୍ଯ୍ୟାୟରେ ଦଳ ୫ଟି ମ୍ୟାଚ୍‌ ଜିତି ମୋଟ ୨୦ପଏଣ୍ଟ ସହ କ୍ୱାର୍ଟରରେ ପ୍ରବେଶ କରିଥିଲା । କ୍ୱାର୍ଟରରେ ହିମାଚଳ ପ୍ରଦେଶକୁ ୫ ୱିକେଟ୍‌ରେ ପରାସ୍ତ କରିଥିବାବେଳେ ସେମିରେ ରାଜସ୍ଥାନକୁ ୭ ୱିକେଟ୍‌ରେ ହରାଇଥିଲା । କ୍ରମାନ୍ୱୟରେ ୭ଟି ମ୍ୟାଚ୍‌ ଜିତିବା ପରେ ତାମିଲନାଡୁର ମନୋବଳ ଦ୍ୱିଗୁଣିତ ରହିଛି । ସେମିରେ ଅରୁଣ କାର୍ତ୍ତିକ ଅପରାଜିତ ୮୯ ରନ୍‌ ଏବଂ ଏମ୍‌ ମହମ୍ମଦ ୪ଟି ୱିକେଟ୍‌ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

କାମଚଳା ଅଧିନାୟକ କେଦାର ଦେବଧରଙ୍କ ଅଧିନରେ ବରୋଦା ଚମତ୍କାର ପ୍ରଦର୍ଶନ କରିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅଧିନାୟକ କୃନାଲ ପାଣ୍ଡ୍ୟାଙ୍କ ସହ ବିବାଦ କାରଣରୁ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଦୀପକ ହୁଡ଼ା ଓହରିଯାଇଥିଲେ । ପରେ କୃନାଲ ତାଙ୍କ ବାପାଙ୍କ ବିୟୋଗ କାରଣରୁ ଓହରିଯାଇଥିଲେ । ତଥାପି ଦଳର ପ୍ରଦର୍ଶନ ପ୍ରଭାବିତ ହୋଇନଥିଲା । ଗ୍ରୁପ୍‌ ସି’ ଟପ୍ପର ହେବା ସହ ଦଳ କ୍ୱାର୍ଟରରେ ହରିଆନାକୁ (୮ ୱିକେଟ୍‌) ଏବଂ ସେମିରେ ପଞ୍ଜାବକୁ (୨୫ରନ୍‌) ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା ।

Comments are closed.