ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ, ୨୬ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ସୂଚନା ମିଳିଛି। ହିମସ୍ଖଳନ ଘଟଣା ପରଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ ସହ କୌଣସି ଯୋଗା ଯୋଗ ହୋଇପାରୁନାହିଁ। ଏହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି। ସେଠାରେ ନାଗାର୍ଜୁନ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ। ନାଗାର୍ଜୁନଙ୍କ ନିଖୋଜ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି।
ହିମସ୍ଖଳନ ହେବାର ୩ ଦିନ ହେଲେ ମଧ୍ୟ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଚମୋଲିର ତପୋବନ ଟନେଲରେ ନିଖୋଜ ହୋଇଥିବା ୩୦ରୁ ଅଧିକ ଲୋକଙ୍କୁ ଖୋଜାଖୋଜି ଚାଲିଛି। ଉଦ୍ଧାର କାର୍ଯ୍ୟରେ ୫ ଶହ ଯବାନ ନିୟୋଜିତ ଅଛନ୍ତି। ପ୍ରଶାସନର ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ନିଖୋଜ ଥିବା ବେଳେ ୨୬ ଜଣଙ୍କ ମୃତଦେହ ମିଳିଛି।
ଚାମୋଲିର ତପୋବନରେ ଥିବା ୧୨ ଫୁଟ୍ ଉଚ୍ଚ ଓ ୧୫ ଫୁଟ୍ ଚଉଡ଼ା ଓ ୧.୬ କିଲୋମିଟର ଲମ୍ବର ଏହି ସୁଡ଼ଙ୍ଗର ସମ୍ମୁଖ ଅଂଶ ଭୂସ୍ଖଳନ ଯୋଗୁ ବୋହି ଆସିଥିବା ମାଟି ଓ ଆବର୍ଜନାରେ ପୋତି ହୋଇ ଯାଇଛି। ଫଳରେ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଫସି ରହିଛନ୍ତି। ମାଟି ଓ ଆବର୍ଜନା ସଫା କରି ଶ୍ରମିକଙ୍କୁ ବାହାର କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି। ନିଖୋଜଙ୍କ ମଧ୍ୟରେ ଏନ୍ଟିପିସି ପ୍ଲାଣ୍ଟର ବହୁ ଶ୍ରମିକ ଥିବା ସୂଚନା ମିଳିଛି।