Odisha Link
Bridging the Missing Links in Odisha

ସରିଲା ଖଣ୍ଡଗିରି ମେଳା, ଅପେକ୍ଷା ଆରବର୍ଷକୁ

ଭୁବନେଶ୍ବର: ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭମେଳା ପୂର୍ଣ୍ଣିମାରେ ଶେଷ ହୋଇଛି। ଶେଷ ଦିନରେ ଯଜ୍ଞକୁଣ୍ଡରେ ପୂ୍ର୍ଣ୍ଣାହୁତି ଦିଆଯାଇ ବିଶ୍ବଶାନ୍ତି ପାଇଁ କରାଯାଇଥିବ ଯଜ୍ଞ ଶେଷ ହୋଇଛି। ଯଜ୍ଞସ୍ଥଳକୁ ଶହ ଶହ ଶ୍ରଦ୍ଧାଳୁ ଆସିଥିଲେ। ଭକ୍ତଙ୍କ ହୁଳହୁଳି, ହରିବୋଲରେ କମ୍ପିଥିଲା ଯଜ୍ଞ ମଣ୍ଡପ। ସମସ୍ତେ ଏକାଠି ହୋଇ ଯଜ୍ଞ ପୂର୍ଣ୍ଣାହୁତିରେ ସାମିଲ ହେବା ସହ ସାଧୁସନ୍ଥଙ୍କ ଠାରୁ ଆର୍ଶିବାଦ ନେଇଥିଲେ।

ଚଳିତବର୍ଷ କରୋନା କଟକଣା ପାଇଁ ଖଣ୍ଡଗିରି କୁମ୍ଭ ମେଳାରେ କେବଳ ଯଜ୍ଞ ଓ ପୂଜାପାଠକୁ ଅନୁମତି ମିଳିଥିଲା। ହେଲେ ଯାତ୍ରା ଓ ବଜାର ପାଇଁ ଅନୁମତି ମିଳିନଥିଲା। ଯଜ୍ଞ ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ ଏକାଠି ହୋଇଥିଲେ। ନଅ ଦିନ ଧରି ଯଜ୍ଞ କରିଥିଲେ। ପୂର୍ଣ୍ଣାହୂତି ସହ ଯଜ୍ଞ ସପାମନ ହୋଇଥିଲା। ପରେ ସାଧୁସନ୍ଥ ବହୁଡ଼ିଥିଲେ ନିଜ ମୂଳ ପୀଠକୁ। ଯିବା ପୂର୍ବରୁ ସରସ୍ପର ମଧ୍ୟରେ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। କଥା ହୋଇଥିଲେ ଯଦି ଜୀବନ ଥିବ, ପୁଣି ଦେଖା ହେବ ଆରବର୍ଷକୁ।

ସେପଟେ ଶେଷଦିନ ଥିବାରୁ ସାଧୁସନ୍ଥଙ୍କ ଦର୍ଶନ ପାଇଁ ଶହ ଶହ ଶ୍ରଦ୍ଧାଳୁ ଖଣ୍ଡଗିରିକୁ ଆସିଥିଲେ। କିଏ ନାଗା ବାବାଙ୍କ ପାଖକୁ ଯାଉଥିଲେ ତ ଆଉ କିଏ ଅଲେଖ ବାବାଙ୍କ ପାଖକୁ। ଷ୍ଟାଣ୍ଡି ବାବାଙ୍କ ପାଖରେ ବି ଭିଡ଼ କମ୍‌ ନଥିଲା। କିଏ ନିଜର ସମସ୍ୟାର ସମାଧାନ ପାଚାରୁଥିଲେ ତ ଆଉ କିଏ କେମିତି ଯୋଗାଯୋଗ କରିବେ ବୋଲି ପାଚାରୁଥିଲେ। ବାବାମନେ ବି ସମସ୍ତଙ୍କୁ ଆର୍ଶୀବାଦ ଦେଉଥିଲେ। ଶେଷ ଦିନରେ ମେଳାରେ ଏମିତି ପରିବେଶ ଦିଖିବାକୁ ମିଳିଥିଲା।

Comments are closed.