Odisha Link
Bridging the Missing Links in Odisha

ଆଜିଠୁ ଓଡ଼ିଶା ମହିଳା ଫୁଟବଲ ଲିଗ୍‌, ଭାଗନେବେ ୬ ଦଳ

ଭୁବନେଶ୍ବର: ଆଜିଠୁ ଓଡ଼ିଶା ମହିଳା ଫୁଟବଲ୍ ଲିଗ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଏହି ୬ ଦଳିଆ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍ ସହ କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆରେ ସମାନ୍ତରାଳ ଭାବେ ଖେଳାଯିବ। ୨୮ ଦିନ ଧରି ରାଜଧାନୀ ଭୁବନେଶ୍ବରରେ ଏକ ପ୍ରକାର ମହିଳା ଫୁଟବଲ୍‌ର ମେଳା ଚାଲିବ। ମୋଟ ୩୦ ମ୍ୟାଚ୍ ଖେଳାଯାଇ ବିଜେତା ବଛାଯିବ।

ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ, ସାଇ-ଏସ୍‌ଟିସି କଟକ, ଓଜିପି (ଓଡ଼ିଶା ସରକାରୀ ପ୍ରେସ୍), ରାଇଜିଂ ଷ୍ଟୁଜେଣ୍ଟ କ୍ଲବ୍, ପୂର୍ବତଟ ରେଳବାଇ ଓ ଓଡ଼ିଶା ପୁଲିସ ଅଂଶଗ୍ରହଣ କରିବେ। ଲିଗ୍‌ର ବିଜେତା ଦଳ ସର୍ବଭାରତୀୟ ଫୁଟବଲ୍ ମହାସଂଘ ଦ୍ବାରା ଆୟୋଜିତ ହେଉଥିବା ଇଣ୍ଡିଆନ୍‌ ଓମେନ୍ସ ଲିଗ୍ (ଆଇଡବ୍ଲ୍ୟୁ) ଲାଗି ଯୋଗ୍ୟତା ଅର୍ଜନ କରିବ।

ପୂର୍ବରୁ ରାଇଜିଂ ଷ୍ଟୁଡେଣ୍ଟ ଦଳ ୨୦୧୭-୧୮ ମସିହାରେ ଆଇଡବ୍ଲ୍ୟୁ ବିଜେତା ହୋଇଥିଲା ବେଳେ ୨୦୧୬-୧୭ରେ ଉପବିଜେତା ହୋଇଥିଲା। ଓଡ଼ିଶା ପୁଲିସ ମଧ୍ୟ ଆଇଡବ୍ଲ୍ୟୁଏଲ୍‌ର ପ୍ରତିନିଧିତ୍ବ କରି ସାରିଛି। କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫାଓ ସଂପାଦକ ଆଶୀର୍ବାଦ ବେହେରା ଏବଂ ଯୁଗ୍ମସଂପାଦକ ଅଭିଜିତ ପାଲ ଯୋଗଦେଇ ପ୍ରତିଯୋଗିତା ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ରାଜ୍ୟ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ଆଜି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସଂପ୍ରତି ଆମେ ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରିବା ଏବଂ ଏହାର ସଫଳ ରୂପାୟନ କରି ଅଧିକରୁ ଅଧିକ ସଫଳ କ୍ରୀଡ଼ାବିତ୍ ସୃଷ୍ଟି କରିବା ଉପରେ ଜୋର ଦେଉଛୁ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା, ମ୍ୟାଚ୍ କମିସନର ଦୁର୍ଗା ମିଶ୍ର ଏବଂ ୬ଟି ଦଳର ଅଧିନାୟିକା ଈଭା ପାନ୍ନା (ସାଇ-ଏସ୍‌ଟିସି), ବନ୍ୟା କବିରାଜ (କ୍ରୀଡ଼ା ଛାତ୍ରାବାସ), ମନୀଷା ପାନ୍ନା (ରେଳବାଇ), କରିସ୍ମା ଓରାମ (ଓଡ଼ିଶା ପୁଲିସ୍), ସତ୍ୟବତୀ ଖଡ଼ିଆ (ରାଇଜିଂ ଷ୍ଟୁଭେଣ୍ଟ୍) ଓ ସସ୍ମିତା ପରିଡ଼ା (ଓଜିପି) ଏହି ଅବସରରେ ଉପସ୍ଥିତ ଥିଲେ। ସମସ୍ତ ଅତିଥିଙ୍କ ଉପସ୍ଥିତିରେ ୬ଟି ଯାକ ଦଳର ଜର୍ସି ମଧ୍ୟ ଶନିବାର ଉନ୍ମୋଚିତ ହୋଇଥିଲା।

କରୋନା ସଙ୍କଟ ପାଇଁ ଦଳ ଏକାଠି ହୋଇ ଅଭ୍ୟାସ କରିବାର ସୁଯୋଗ ପାଇ ନଥିଲେ ମଧ୍ୟ ଆମେ ପୁଣି ଥରେ ବିଜେତା ହୋଇ ଆଇଡବ୍ଲ୍ୟୁଏଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବୁ ବୋଲି ରାଇଜିଂ ଷ୍ଟୁଡେଣ୍ଟ୍ ଅଧିନାୟିକା ସତ୍ୟବତୀ ଖଡ଼ିଆ କହିଥିଲେ।

Comments are closed.