Odisha Link
Bridging the Missing Links in Odisha

ଓଡ଼ିଆ ଚାଷୀ ଉପକୃତ ହେବା ନେଇ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ରେ ପଞ୍ଜିକୃତ ୪୦ ଲକ୍ଷ ୫୦ ହଜାର ଓଡିଶାର ଚାଷୀ ଯେପରି ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ନିଧି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପଞ୍ଜିକୃତ ହୋଇଥିବା ସାଢେ ୭ କୋଟି ଚାଷୀଙ୍କୁ ସପ୍ତମ କିସ୍ତିରେ ୧୯ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ବିଭାଗୀୟ ତଥ୍ୟ ଅନୁସାରେ ଓଡିଶାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଓଡିଶାର ୪୦.୫ ଲକ୍ଷ ଚାଷୀ ଅନ୍ତର୍ଭୃକ୍ତ ଅଛନ୍ତି। କିନ୍ତୁ ସପ୍ତମ କିସ୍ତିରେ ଓଡିଶାର ୨୪.୭ ଲକ୍ଷ ଚାଷୀ ୨ ହଜାର ଟଙ୍କା ଲେଖାଏଁ ଏହି ଯୋଜନାରେ ପାଇଥିଲେ।

ତେବେ ଏଭଳି ଘଟଣା ପ୍ରଥମ ଥର ନୁହେଁ ବରଂ ପୂର୍ବ ତଥା ଷଷ୍ଠ କିସ୍ତିରେ ମଧ୍ୟ ଅନୁରୂପ ଭାବରେ କମ୍‌ ଚାଷୀ ଏହି ଯୋଜନାର ଲାଭ ପାଉଥିବା ଓ କିଛି ଚାଷୀ ବଂଚିତ ହେଉଥିବାର ଦେଖାଯାଉଛି। ପଞ୍ଜିକୃତ ୪୦.୫ ଲକ୍ଷ ଚାଷୀ ମଧ୍ୟରୁ ପିଏମ କିଷାନ ଯୋଜନାର ପ୍ରଥମ କିସ୍ତିରେ ଓଡିଶାର ମାତ୍ର ୯.୭୩ ଲକ୍ଷ ଚାଷୀ ପ୍ରଥମ କିସ୍ତି ପାଇଥିଲେ ଯାହା ପଞ୍ଜିକୃତଙ୍କ ୨୪ ପ୍ରତିଶତ।

ସେହିପରି ଅନୁରୂପ ଭାବରେ ଦ୍ୱିତୀୟ କିସ୍ତିରେ ୨୯.୯୨ ଲକ୍ଷ ଅର୍ଥାତ୍ ପଞ୍ଜିକୃତଙ୍କ ୭୪ ପ୍ରତିଶତ, ତୃତୀୟ କିସ୍ତିରେ ୨୮.୭୭ ଲକ୍ଷ ତଥା ୭୧ ପ୍ରତିଶତ, ଚତୁର୍ଥ କିସ୍ତିରେ ୨୫.୬୧ ଲକ୍ଷ ଅର୍ଥାତ୍ ପଂଜିକରଣର ୬୩ ପ୍ରତିଶତ ଚାଷୀ କେବଳ ପିଏମ ଯୋଜନାରେ ବ୍ୟାଙ୍କ୍ ଖାତାରେ ଟଙ୍କା ପାଇଛନ୍ତି। ଅନୁରୂପ ଭାବରେ ପଂଚମ କିସ୍ତିରେ ୨୧.୫୫ ଲକ୍ଷ ଚାଷୀ ଅର୍ଥାତ୍ ୫୩ ପ୍ରତିଶତ, ଷଷ୍ଠ କିସ୍ତିରେ ୨୩.୩୮ ଲକ୍ଷ ତଥା ୫୮ ପ୍ରତିଶତ ଓ ସପ୍ତମ କିସ୍ତିର ଲାଭ ମାତ୍ର ୬୧ ପ୍ରତିଶତ ଅର୍ଥାତ୍ ୨୪.୭୦ ଲକ୍ଷ ଚାଷୀ ଲାଭ ପାଇଛନ୍ତି । ଧର୍ମେନ୍ଦ୍ରପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଚାଷୀ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ।

ରାଜ୍ୟର ଜନସଂଖ୍ୟାର ଦୁଇ ତୃତୀୟାଂଶ ଚାଷୀ ଜିଡିପିର ଏକ ପଂଚମାଶ ଯୋଗଦାନ ରଖୁଛନ୍ତି। ତେବେ ଚାଷୀ ବିଶେଷ ଭାବରେ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି। ଭାରତ ସରକାର ଗତ ୬ ବର୍ଷରେ ଅନ୍ନଦାତାଙ୍କୁ ଆର୍ଥିକ ସମ୍ପନ୍ନ କରିବା ଦିଗରେ ଅନେକ ବଡ ପ୍ରଭାବ ପକାଉଥିବା ପଦକ୍ଷେପ ଏବଂ ସଂସ୍କାର ଅଣାଯାଇଛି ଏବଂ ପ୍ରଧାନମନ୍ତ୍ରୀ କିଷାନ୍‌ ଯୋଜନା ଏହା ମଧ୍ୟରୁ ଅନ୍ୟତମ।

ଆପଣ ଅବଗତ ଥିବେ ଯେ ୨୦୧୮ ମସିହାରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରାଯାଇଥିଲା। କେନ୍ଦ୍ର ସରକାର ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ତିନୋଟି କିସ୍ତିରେ ୬ ହଜାର ଟଙ୍କାର ଚାଷୀଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାର ନିୟମାବଳୀ ଅନୁସାରେ ରାଜ୍ୟ ସରକାରମାନେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବେ ଏବଂ ଯୋଜନାର ୱେବପୋର୍ଟାଲରେ ଦାଖଲ କରିବେ। ହିତାଧିକାରୀଙ୍କ ତଥ୍ୟକୁ ସଠିକ୍ ଭାବରେ ଦେବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଛି ଏବଂ ଏହାଦ୍ୱାରା ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ପଠାଯାଇପାରିବ।

ମାତ୍ର ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ପ୍ରକ୍ରିୟାକୁ ଅନୁପାଳନ ନକରିବା ଯୋଗୁଁ ପିଏମ କିଷାନ ନିଧି ଯୋଜନାରେ ପଞ୍ଜିକୃତ ହୋଇଥିବା ଓଡିଶାର ଚାଷୀଙ୍କ ମଧ୍ୟରୁ ବହୁତ୍ କମ୍‌ ଚାଷୀ ଏହି ଯୋଜନାର ଲାଭ ପାଉଛନ୍ତି। ତେଣୁ ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ କିଷାନର ନିର୍ଦ୍ଦେଶାବଳୀର ଅନୁପାଳନକୁ ତୁରନ୍ତ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି ।

ତେବେ ଓଡିଶାର ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ସଠିକ୍ ଲାଭ ନମିଳିବା ଏବଂ ବିଶେଷ ଭାବରେ କୋଭିଡ୍ -୧୯ ଯୋଗୁଁ ପ୍ରଭାବିତ ସମୟରେ ଯେତେବେଳେ ସରକାରୀ ସହୟତା ଚାଷୀଙ୍କୁ ଦରକାର ଥିଲା ସେହି ସମୟରେ ଚାଷୀଙ୍କୁ ପିଏମ କିଷାନ ଟଙ୍କାରୁ ବଞ୍ଚିତ କରିବା ଦୁଃଖଦାୟକ ବୋଲି ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

Comments are closed.