Odisha Link
Bridging the Missing Links in Odisha

ଭାରତକୁ କରୋନା ମୁକ୍ତ କରିବା ଲାଗି ରାଜ୍ୟର ସମସ୍ତ ଜନତା ନିର୍ଭୟରେ ଟିକା ନିଅନ୍ତୁ: ସମୀର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲଠାରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି। ମାଗଣାରେ କିପରି ଦେଶର ସମସ୍ତ ଜନତା କୋଭିଡ ଟୀକା ନେବେ ସେ ନେଇ ମଧ୍ୟ ଭାରତ ସରକାର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସ୍ୱଦେଶୀ କୋଭିଡ ଟୀକା ନେଇ ଡାକ୍ତର, ନର୍ସ, ବୈଜ୍ଞାନିକଙ୍କ ସମେତ ଦେଶବାସୀଙ୍କୁ ଉତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ଆତ୍ମନିର୍ଭର ଭାରତ ଗଠନ ଦିଗରେ ଅନୁପ୍ରାଣିତ ହୋଇ ଭାରତୀୟ ବୈଜ୍ଞାନିକମାନେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ କୋଭାକ୍ସିନ କରୋନା ଟୀକାର ବିକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ ଟିକାକରଣ କରାଯାଇଥିଲା। କରୋନା ଯୋଦ୍ଧାଙ୍କୁ ଟିକାକରଣ ପରେ ଆଜିଠୁ ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ କରାଯାଇଛି। ଆଗାମୀ ଦିନରେ ଭାରତକୁ କରୋନା ମୁକ୍ତ କରିବା ଲାଗି ରାଜ୍ୟର ସମସ୍ତ ଜନତା ନିର୍ଭୟରେ ଟୀକା ନେବାକୁ ସମୀର ମହାନ୍ତି ଅନୁରୋଧ କରିଛନ୍ତି।

କରୋନା ମହାମାରୀ ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ଓ ସମୟୋପଯୋଗୀ ପଦକ୍ଷେପକୁ ଜାତିସଂଘ ସମେତ ବିଭିନ୍ନ ଦେଶ ପ୍ରଶଂସା କରିଛନ୍ତି। କରୋନା ସମୟରେ ଯେପରି ଆମେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ମାନି ବିଭିନ୍ନ ନିୟମକୁ ପାଳନ କରିଥିଲେ ଠିକ୍ ସେହିପରି ଆମେ ଟିକାକରଣକୁ ନେଇ ମନରେ କୌଣସି ଆଶଙ୍କା ନରଖି ଟିକା ନେବା ପାଇଁ ସମୀର ମହାନ୍ତି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି।

Comments are closed.