Odisha Link
Bridging the Missing Links in Odisha

ସଉଦା ଅଛି ରୋଷେଇଆ ନାହିଁ: ସମୀର

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ପଞ୍ଚାୟତରାଜ ଦିବସକୁ ବହୁ ଆଡମ୍ବର ଭାବେ ପାଳନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟର ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତରାଜ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ୟୁପିଏ ସରକାରଙ୍କ ଅମଳରେ ୨୦୧୪ ମସିହା ପୂର୍ବରୁ ୧୩ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ପ୍ରତିଟି ପଞ୍ଚାୟତର ବିକାଶ ପାଇଁ ପ୍ରତି ବର୍ଷ ମାତ୍ର ୧ରୁ ୫ ଲକ୍ଷ ଟଙ୍କା ମିଳୁଥିଲା।

ମାତ୍ର ଗରୀବଙ୍କ ପାଇଁ ସମର୍ପିତ ମୋଦି ସରକାର ୨୦୧୫ ମସିହାଠାରୁ ୧୪ର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ପ୍ରତି ପଞ୍ଚାୟତକୁ ପ୍ରତି ବର୍ଷ ସର୍ବନିମ୍ନ ୪୦ଲକ୍ଷ ଟଙ୍କାରୁ ସର୍ବାଧିକ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥରେ ସ୍ଥାନୀୟ ପଞ୍ଚାୟତର ଉଜ୍ଜ୍ୱଳା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ମାର୍କେଟ କଂପ୍ଲେକ୍ସ ଆଦି ନିର୍ମାଣ କରାଯାଇ ପଞ୍ଚାୟତର ନିଜସ୍ୱ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରାଯାଇପାରିବ।

ପ୍ରତିଟି ପଞ୍ଚାୟତର ବିକାଶ ପାଇଁ ମୋଦି ସରକାର ପ୍ରଚୁର ପରିମାଣରେ ଅର୍ଥ ପଠାଉଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି କାରଣରୁ ଅର୍ଥ ବିନିଯୋ ହୋଇନପାରି କେନ୍ଦ୍ରକୁ ପୁଣି ଫେରିଯାଉଛି। ଗତ ୬ ବର୍ଷରେ ରାଜ୍ୟର ଗ୍ରାମାଞ୍ଚଳରେ ଯାହା କିଛି ବିକାଶ ହୋଇଛି, ତାହା କେବଳ ମୋଦି ସରକାରଙ୍କ ଅର୍ଥରେ ହୋଇଛି। ମୋଦିଙ୍କ ଲାଇଟ ଗାଁ ଦାଣ୍ଡକୁ ଉଜ୍ଜଳ କରିଛି।

ଅନ୍ୟପଟେ ରାଜ୍ୟର ଅର୍ଦ୍ଧାଧିକ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡ଼ିଛି। ବ୍ଲକରେ ଜେଇ ଓ ଆପିଓ କର୍ମଚାରୀ ପଦବୀ ଖାଲି ପଡିଛି। ତେଣୁ ଯେଉଁ କାମ ହେଉଛି, ତାହା ମଧ୍ୟ ଅତି ନିମ୍ନ ମାନର। ମୋଦି ପଠାଇଥିବା ଅର୍ଥ ପଞ୍ଚାୟତରେ ଅଛି, ମାତ୍ର ଖର୍ଚ୍ଚ ହୋଇପାରୁନାହିଁ । ସଉଦା ଅଛି, ମାତ୍ର ରୋଷେଇଆ ନାହିଁ‛ ବୋଲି କହି ତାତ୍ସଲ୍ୟ କରି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟର ୫୦ରୁ ଉର୍ଦ୍ଧ୍ୱ ବିଧାନସଭା କ୍ଷେତ୍ରର ବିଭିନ୍ନ ଗ୍ରାମ ଗସ୍ତ କରି ବିକାଶର ବାସ୍ତବ ଚିତ୍ର ଦେଖିଲା ପରେ ଗ୍ରାମାଞ୍ଚଳର ବିକାଶରେ ରାଜ୍ୟ ସରକାର ବାଧକ ସାଜିଥିବା ସ୍ପଷ୍ଟ ଜଣାପଡ଼ିଛି। ବାସ୍ତବରେ କହିବାକୁ ଗଲେ ରାଜ୍ୟବାସୀ ପଞ୍ଚାୟତ ବ୍ୟବସ୍ଥାର ବହୁ ଦୂରରେ ଅଛନ୍ତି ବୋଲି ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି।

ଆଦିବାସୀ ଅଧ୍ୟୁଷିତ ରାଜ୍ୟର ଜନଜାତିଙ୍କୁ ଆର୍ଥିକ ସ୍ୱଚ୍ଛଳତା ପାଇଁ ଅମୋଘ ଅସ୍ତ୍ର ଭାବେ ‘ପ୍ରଧାନମନ୍ତ୍ରୀ ବନଧନ ଯୋଜନା’ କାର୍ଯ୍ୟକାରୀ କରାଯାଇଛି। ‘ଆତ୍ମନିର୍ଭରଶୀଳ ଭାରତ ଗଠନ’, ‘ପ୍ରଧାନମନ୍ତ୍ରୀ ବନଧନ ଯୋଜନା’ ଓ ‘ଭୋକାଲ ଫର ଲୋକାଲ’ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରମୁଖ ଉତ୍ପାଦ ଭାବେ ପରିଗଣିତ ବିଶ୍ୱବିଖ୍ୟାତ ହଳଦୀ, ଝୁଣା, ମହୁ, ଶାଳମଞ୍ଜି, ଆମ୍ବ, ସପୁରୀ, କପା, ମହୁଲ ଆଦି ବନଜାତ ଦ୍ରବ୍ୟ ଆନ୍ତର୍ଜାତୀୟ ସ୍ତରରେ ଅତି ସହଜରେ ଉପଲବ୍ଧ ହେବା ସହ ସେମାନଙ୍କ ଆର୍ଥୀକ ଅଭିବୃଦ୍ଧିରେ ବିଶେଷ ସହାୟକ ହୋଇପାରିବ।

ଏହି ସମସ୍ତ ଲଘୁଜାତ ବନ୍ୟଜାତ ଦ୍ରବ୍ୟର ସଂଗ୍ରହ, ପ୍ରୋସେସିଂ, ମାର୍କେଟିଂ ଆଦି ପାଇଁ କେନ୍ଦ୍ର ସରକାର ପ୍ରଚୁର ମାତ୍ରାରେ ଅର୍ଥ ପ୍ରଦାନ କରୁଛନ୍ତି। ମାତ୍ର ରାଜ୍ୟ ସରକାର ଓ ପ୍ରଶାସନର ଆନ୍ତରିକତାର ଅଭାବ କାରଣରୁ ପ୍ରଧାନମନ୍ତ୍ରୀ ବନଧନ ଯୋଜନାର କାର୍ଯ୍ୟକାରୀ କରାଇବାରେ ବିଫଳ ହୋଇଛନ୍ତି। ମହିଳା ସଶକ୍ତିକରଣ କହୁଥିବା ରାଜ୍ୟ ସରକାର ମୋଦିଙ୍କ ବନଧନ ଯୋଜନାକୁ କାର୍ଯ୍ୟକାରୀ ନକରାଇ ଜନଜାତି ମହିଳାଙ୍କୁ ସ୍ୱରୋଜଗାରକ୍ଷମ କରିବାରେ ବଡ ବାଧକ ସାଜିଛନ୍ତି।

ମୋଦି ସରକାର ୬୪ଟି ଲଘୁଜାତ ବନ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ଭୂଲ ନୀତି ଯୋଗୁଁ ଲୋକଙ୍କ ହାତକୁ ଟଙ୍କା ଆସୁନାହିଁ। ପଞ୍ଚାୟତରାଜ ବ୍ୟବସ୍ଥା ବିଫଳତାର ବାସ୍ତବ ଚିତ୍ର ଜଳଜଳ ହୋଇ ଦେଖାଯାଉଛି ବୋଲି ମମୀର ମହାନ୍ତି କହିଛନ୍ତି।

ମୋଦି ସରକାର କେନ୍ଦ୍ରରୁ ପଠାଉଥିବା ସମସ୍ତ ଅର୍ଥକୁ ସଠିକ ଭାବେ ବ୍ୟବହାର କରିବା ସହ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ଗ୍ରାମାଂଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ଗ୍ରାମକୁ ଆତ୍ମନିର୍ଭରଶୀଲ କରିବାରେ ବଳିଷ୍ଠ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶୀନି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.