Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ନିର୍ବାଚନ: ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି

କଲିକତା: ଏଥର ପଶ୍ଚିମବଙ୍ଗର ସବୁଠରୁ ବଡ଼ ଲଢ଼େଇ ହେବାକୁ ଯାଉଛି। ଏହି ହେବ ନନ୍ଦିଗ୍ରାମରେ। ଟିଏମସି ଛାଡ଼ି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥର ଭାବନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବେ ମମତା।

ଏଥି ସହିତ ମମତା ତାଙ୍କର ପାରମ୍ପରିକ ଆସନ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ନାହିଁ। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ୨୯୧ ପ୍ରାର୍ଥୀଙ୍କ ତାଲିକା ଜାରି କରି ଏହି ଘୋଷଣା କରିଛି ତୃଣମୂଳ କଂଗ୍ରେସ। ଅର୍ଥାତ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ମମତା ବାନାର୍ଜୀଙ୍କ ମୁହାଁମୁହିଁ ଲଢେଇ ହେବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ୨୯୧ ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ।

ଏଥର ଦଳ ୧୦୦ ଟି ଆସନରେ ନୂଆ ଚେହେରା ଦେଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୫୦ ଜଣ ମହିଳା ରହିଛନ୍ତି। ଖାଲି ସେତିକି ନୁହେଁ ରାଜନୈତିକ ଅଭିସନ୍ଧି ରଖି ୪୨ ଜଣ ମୁସଲିମ ସଂପ୍ରଦାୟର ଲୋକଙ୍କୁ ପ୍ରାର୍ଥୀ କରିଛି ତୃଣମୂଳ କଂଗ୍ରେସ। ମୋଟ ୨୯୪ ଆସନରୁ ୨୯୧ ଆସନ ପାଇଁ ପ୍ରର୍ଥୀ ତାଲିକା ଘୋଷଣା ହୋଇଥିଲେ ବି ଉତ୍ତର ବଙ୍ଗଳାର ୩ ଆସନରେ ଟିଏମସି ପ୍ରତିଦ୍ୱନ୍ଦିତା କରିବ ନାହିଁ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଭବାନୀପୁର ଆସନ ଛାଡି ନନ୍ଦୀଗ୍ରାମ ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ପ୍ରାର୍ଥୀପତ୍ର ଘୋଷଣା ନେଇ ମମତା ବାନାର୍ଜୀ କରିଥିବା ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି କି ଭବାନୀପୁର ଆସନରୁ ସୋମଦେବ ଭଟ୍ଟାଚାର୍ଯ୍ୟ ପ୍ରାର୍ଥୀ ହେବେ। ଏହାସହ ଏଥର ନିର୍ବାଚନ ଜିତିଲେ ରାଜ୍ୟରେ ବିଧାନପରିଷଦ ବନାଇବେ।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ଏଥର ୮ ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। ମାର୍ଚ୍ଚ ୨୭ ତାରିଖରେ ୩୦ ଆସନ ପାଇଁ , ଏପ୍ରିଲ ୧ରେ ୩୦, ଏପ୍ରିଲ ୬ରେ ୩୧, ଏପ୍ରିଲ ୧୦ ରେ ୪୪, ଏପ୍ରିଲ ୧୭ ରେ ୪୫, ଏପ୍ରିଲ ୨୨ ରେ ୪୩, ଏପ୍ରିଲ ୨୬ ରେ ୩୬ ଓ ଏପ୍ରିଲ ୨୯ ରେ ୩୫ ଟି ଆସନରୁ ମତଦାନ ଗ୍ରହଣ କରାଯିବ। ଏହାପରେ ମେ’ ୨ ତାରିଖରେ ଫଳାଫଳ ଘୋଷଣା କରାଯିବ।

ପ୍ରକାଶ ଯେ, ମମତା ବାନାର୍ଜୀ ଦୀର୍ଘ ୧୦ ବର୍ଷ ହେବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି। ହେଲେ ଏଥର ପ୍ରଥମଥର ପାଇଁ ବିଜେପି ମମତାଙ୍କୁ କଡା ଟକ୍କର ଦେଉଛି। ବିଜେପିର ହିନ୍ଦୁତ୍ୱ ରାଜନୀତିକୁ ଜବାବ୍ ଦେବାକୁ ମମତା ଶିବରାତ୍ରୀ ଦିନ ନନ୍ଦୀଗ୍ରାମରୁ ନାମାଙ୍କନପତ୍ର ଦାଖଲ କରିପାରନ୍ତି।

Comments are closed.