ଲିଙ୍ଗରାଜରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ମହାଶିବରାତ୍ରି। ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶୈବପୀଠ। ଲିଙ୍ଗରାଜ ମନ୍ଦିରରେ କରୋନା କଟକଣା ମଧ୍ୟରେ ପାଳନ ହେବ ଜାଗର। ବହୁ ବିବାଦ ପରେ ଲିଙ୍ଗରାଜ ମନ୍ଦିରରେ ଜାଗର ଜାଳିବାକୁ ଭକ୍ତଙ୍କୁ ମଳିଛି ଅନୁମତି।
ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ସକାଳ ୩ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ହେବ। ସକାଳ ୩ଟା ୩୦ରୁ ଦିନ ୧୧ଟା ମଧ୍ୟରେ ସାହାଣମେଲା ଦର୍ଶନ ହେବ। ଦିନ ୧୨ଟାରୁ ୧୨ ଟା ୪୫ରେ ମହାସ୍ନାନ ଓ ବେଶ ହେବ ଏବଂ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ।
ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ। ମନ୍ଦିରକୁ ଫୁଲ ଆଲୋକମାଳରେ ସୁସଜ୍ଜିତ କରାଯାଇଛି। ମନ୍ଦିର ବାହାରେ ୨ ଶହ ମିଟର ଯାଏଁ ଲମ୍ବା ବ୍ୟାରିକେଡ୍ କରାଯାଇଛି। ଭିତରେ ଭକ୍ତଙ୍କ ଭିଡ ଏଡାଇବାକୁ ସ୍ୱତନ୍ତ୍ର ବ୍ୟାରିକେଡ୍ କରାଯାଇଛି। ମନ୍ଦିର ପରିସର ଓ ବାହାରେ ଟେଣ୍ଟ ବି ଲଗାଯାଇଛି। କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଆଡ଼ମ୍ବରପୂର୍ଣ୍ଣ ଜାଗର ଯାତ୍ରା ବନ୍ଦ କରାଯାଇଛି।
ତେବେ ଶିବରାତ୍ରୀ ପାଇଁ ଲିଙ୍ଗରାଜ ମନ୍ଦିରରେ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ସୁରକ୍ଷା ଦାୟିତ୍ୱରେ ୧୨୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ରହିବେ। ସୁରକ୍ଷା ଉପରେ ୫ ଜଣ ଅତିରିକ୍ତ ଡିସିପି ନଜର ରଖିବେ। ଶିବରାତ୍ରୀ ପାଇଁ ପୋଲିସର ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।
ମହାଶିବରାତ୍ରି ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍। ମାଉସୀ ମା’ ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଗାଡ଼ି ବିଏମସି ମାର୍କେଟ ପାର୍କିଂକୁ ଯିବ। ସେହିପରି କେଉଟସାହି ପଟର ଗାଡ଼ି ବିଏମସି ମାର୍କେଟ କମ୍ପଲେକ୍ସ ପାର୍କିଂ ସ୍ଥଳ ଯିବେ। ଦକ୍ଷିଣକାଳୀ ଓ ତାରାସୁନ୍ଦରୀ ରାସ୍ତାପଟ ଗାଡ଼ି ବିଏମ ହାଇସ୍କୁଲ ପଡ଼ିଆକୁ ଯିବେ। ପୁନାମା ଗେଟ ପଟର ଗାଡ଼ିକୁ ବଢ଼େଇବାଙ୍କ ଆଡକୁ ଛଡ଼ା ଯିବନି। ବିନ୍ଦୁସାଗର ପଟୁ ଭଜନ ମଣ୍ଡପ ଆଡ଼କୁ କୌଣସି ଗାଡ଼ି ଛଡ଼ାଯିବ ନାହିଁ।