Odisha Link
Bridging the Missing Links in Odisha

ଆଜି ପବିତ୍ର ମହାଶିବରାତ୍ରୀ, କୋଭିଡ କଟକଣା ଭିତରେ ପାଳନ ହେବ ଜାଗର

ଭୁବନେଶ୍ବର: ଆଜି ପବିତ୍ର ମହାଶିବରାତ୍ରୀ। ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶୈବ ପୀଠ। କରୋନା ଭିତରେ ପାଳନ ହେବ ଜାଗର। ବହୁ ବିବାଦ ପରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଜାଗର ଜାଳିବାକୁ ଭକ୍ତଙ୍କୁ ମିଳିଛି ଅନୁମତି। ମହାଶିବରାତ୍ରୀକୁ ସୁରୁଖୁରୁରେ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ପୂର୍ବରୁ ଯାହା ନିତି ନିର୍ଘଣ୍ଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ। ମନ୍ଦିର ଭିତରେ କୋଭିଡ଼ ନିୟମ ମାନି ଦୀପ ଜାଳିବେ ଶ୍ରଦ୍ଧାଳୁ। ସକାଳ ୩ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ହେବ। ସକାଳ ୩ଟା ୩୦ରୁ ଦିନ ୧୧ଟା ମଧ୍ୟରେ ସାହାଣମେଲା ଦର୍ଶନ ହେବ। ଦିନ ୧୨ଟାରୁ ୧୨ ଟା ୪୫ରେ ମହାସ୍ନାନ ଓ ବେଶ ହେବ ଏବଂ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ବନ୍ଦ ଥିବା ହାଣ୍ଡିଭଙ୍ଗା ଯାତ୍ରା ଚଳିତ ବର୍ଷ ହେବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଶିବରାତ୍ରୀ ପାଇଁ ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ଦୃଷ୍ଟିରୁ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏମାନଙ୍କ ମଧ୍ୟରେ ଅଛନ୍ତି ୧୨୦ ବରିଷ୍ଠ ପୋଲିସ ଅଧିକାରୀ, ୫ଜଣ ଅତିରିକ୍ତ ଡିସିପି , ୧୩ଜଣ ଏସସିପି, ୧୭ଜଣ ଇନସ୍ପେକ୍ଟର ଓ ୮୬ ଜଣ ସବଇନସ୍ପେକ୍ଟର। ଭକ୍ତମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସେମାନଙ୍କ ସହଯୋଗ କାମନା କରିଛି ପୋଲିସ। ଆଜି ଜାଗର ଯାତ୍ରା ପାଇଁ ରୁଟ ନମ୍ବର ୩୨ରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିରକୁ ମୋ ବସ ସେବା ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜାରି ରହିବ ।

କୋଭିଡ କଟକଣା ଭିତରେ ଭଦ୍ରକର ଆରଡି ପୀଠରେ ପାଳନ ହେଉଛି ଜାଗର ଯାତ୍ରା। ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। ଭକ୍ତମାନଙ୍କୁ ମନ୍ଦିର ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନା କରାଯାଇଛି। ବୁଧବାର ଦିନ ୧୦ଟାରୁ ଶୁକ୍ରବାର ଦିନ ୧୦ଟା ପର୍ଯ୍ୟନ୍ତ ୧୪୪ଧାରା ବଳବତର ରହିବ।

କରୋନା କଟକଣା ଭିତରେ ଆଜି ଶୈବପୀଠ ଧବଳେଶ୍ୱରରେ କରୋନା କଟକଣା ଯୁକ୍ତ ଜାଗର ପୂଜା କରାଯିବ। ଏଥିପାଇଁ ଆଜି ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ଯାଏଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ ହୋଇଛି। କେବଳ ମନ୍ଦିର ପ୍ରସାସନ ଓ ପୂଜକଙ୍କ ଉପସ୍ଥିତିରେ ହେବ ଶିବରାତ୍ରୀ ନୀତିକାନ୍ତି କରାଯିବ। ସାଧାରଣ ଦର୍ଶନ ବନ୍ଦ ରହିବ।

Comments are closed.