Odisha Link
Bridging the Missing Links in Odisha

ଶାସକ ଦଳ ଚାପରେ ସରକାରୀ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛନ୍ତି: ବିଜେପି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ହେଉ କିମ୍ବା ଉପନିର୍ବାଚନ, ରାଜ୍ୟରେ ହେଉଥିବା ସମସ୍ତ ନିର୍ବାଚନକୁ ଜିତିବା ପାଇଁ ଶାସକ ବିଜେଡି ସରକାରୀ କଳର ଅପବ୍ୟବହାର, ଭୋଟରଙ୍କୁ ଧମକ ଦେବା ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ଲଗାଇ ପୋଷ୍ଟାଲ ବାଲାଟରେ ବିଜେଡି ସପକ୍ଷରେ ଭୋଟ କରାଇବା ଆଦି କାର୍ଯ୍ୟ କରି ନିର୍ବାଚନକୁ ନିଜ ସପକ୍ଷକୁ ଆଣିଥିଲା। ଏବେ ସମାନ ଢଙ୍ଗରେ ପିପିଲି ଉପନିର୍ବାଚନ ଜିତିବା ପାଇଁ ସରକାରୀ କଳକୁ ଅପବ୍ୟବହାର କରିବା ଆରମ୍ଭ କରିଛି ଶାସକ ବିଜେଡି।

ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରର ସରକାରୀ ମେଡିକାଲ ଅଫିସର ଇନଚାର୍ଜ ଡା.ଅବିନାଶ ରଥ ନିଜ ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଆରମ୍ଭ କରିଛନ୍ତି, ଯାହାକି ନିର୍ବାଚନ କମିଶନଙ୍କ ଗାଇଡଲାଇନ ଏବଂ ଲୋକ ପ୍ରତିନିଧିତ୍ୱ ଆଇନ,୧୯୫୧ ଅନୁଯାୟୀ ସଂପୂର୍ଣ୍ଣରୂପେ ବେନିୟମ ଏବଂ ବେଆଇନ। ରାଜ୍ୟ ନିର୍ବାଚନ ଅଧିକାରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ଏଭଳି ବେଆଇନ ଘଟଣାରେ ସଂପୃକ୍ତ ଥିବା ମେଡିକାଲ ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି। ଏହି ସମସ୍ତ ବେଆଇନ କାର୍ଯ୍ୟର ସମସ୍ତ ତଥ୍ୟ ପ୍ରମାଣ ସହ ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରତିନିଧୀ ଦଳ ପ୍ରଦାନ କରିଛି।

ଉପନିର୍ବାଚନରେ ସରକାରୀ ଅଧିକାରୀମାନଙ୍କୁ ପ୍ରଚାରରୁ ନିବୃତ ରଖିବା ଏବଂ ବିନା କୌଣସି ରାଜନୈତିକ ଚାପରେ ନିଜ ଦାୟୀତ୍ୱ ଜନସାଧାରଣଙ୍କ ସ୍ୱାର୍ଥରେ ସଠିକ୍ ଭାବେ ତୁଲାଇବା ପାଇଁ ନିର୍ବାଚନ ଆୟୋଗ ଉତରଦାୟୀ। ଯଦି କୌଣସି ସରକାରୀ ଅଧିକାରୀ ଏଭଳି ବେଆଇନ କାର୍ଯ୍ୟ କରନ୍ତି, ତେବେ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ରହିଛି।

ଏହି ଦିଗରେ ନିର୍ବାଚନ ଅଧିକାରୀ ସଂପୃକ୍ତ ମେଡିକାଲ ଅଫିସରଙ୍କୁ ତୁରନ୍ତ ନିଲମ୍ବନ କରି ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ନେଇ ସୁନିଶ୍ଚିତ କରାନ୍ତୁ ବୋଲି ପ୍ରତିନିଧୀ ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି ଓ ସୋନାଲୀ ସାହୁଙ୍କ ସମେତ ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Comments are closed.