Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବାତ୍ୟା ଆଶଙ୍କା

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି। କେତେକ ବିଦେଶୀ ପାଣିପାଗ ମଡେଲ୍‌ କହୁଛି, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ତେବେ ଏ ବର୍ଷ ବି ଆସିପାରେ ଖରାଦିନିଆ ବାତ୍ୟା।

ଆମେରିକାର ଜଏଣ୍ଟ ଟାଇଫୁନ୍‌ ୱାର୍ଣ୍ଣିଂ ସେଣ୍ଟର କହିଛି, ବିଭିନ୍ନ ବିଶ୍ୱସ୍ତରୀୟ ମଡେଲ୍‌ ଏହି ସମ୍ଭାବ୍ୟ ଲଘୁଚାପ ନେଇ ଭିନ୍ନ ଆକଳନ କରିଛନ୍ତି। ଏନଭିଜିଏମ୍‌ର ପୂର୍ବାନୁମାନ ହେଲା, ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ଆଉ କେତେକ ମଡେଲ୍‌ ଅନୁଯାୟୀ ଏହା ଅବପାତ ପର୍ଯ୍ୟନ୍ତ ଘନୀଭୂତ ହୋଇପାରେ। ୟୁକେ ପାଣିପାଗ କେନ୍ଦ୍ର ଏବଂ ୟୁରୋପିଅନ ସେଣ୍ଟର ଫର୍‌ ମିଡିୟମ ରେଞ୍ଜ୍‌ ୱେଦର ଫୋରକାଷ୍ଟସର ଆକଳନ ଅନୁଯାୟୀ ଏହା ମିଆଁମାର ଆଡ଼କୁ ଗତି କରିବ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏହା ୩୧ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ। ୧ ତାରିଖବେଳକୁ ଆଉ ସାମାନ୍ୟ ଅଧିକ ଘନୀଭୂତ ହୋଇ ୱେଲ ମାର୍କଡ ରୂପ ନେବ। ଉତ୍ତର ଆଣ୍ଡାମାନ ଦେଇ ମିଆଁମାର ଆଡ଼କୁ ମୁହାଁଇବ। କିନ୍ତୁ, ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ। ତେବେ ଏହି ସମ୍ଭାବ୍ୟ ଲଘୁଚାପ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଆଲୋକିତ କରିଛନ୍ତି।

ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ମାର୍ଚ୍ଚ ମାସରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ବିରଳ ଘଟଣା। ସାଧାରଣତଃ ମାର୍ଚ୍ଚରୁ ଖରା ଆରମ୍ଭ ହୁଏ। ବର୍ତ୍ତମାନ ସମୟରେ ସମୁଦ୍ର ଜଳପତ୍ତନ ତାପମାତ୍ରା ୨୫ରୁ ୨୬ ଡିଗ୍ରୀ ସେଲସିୟସ୍‌ ରହିବା କଥା ମାତ୍ର ଏବେ ବଙ୍ଗୋପସାଗର ଜଳପତ୍ତନ ତାପମାତ୍ରା ୨୯-୩୦ ଡିଗ୍ରୀ ଅଛି। ଏଥିଯୋଗୁ ହିଁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଛି। ଏହା ଅସ୍ୱାଭାବିକ ପରିସ୍ଥିତି ଆଣିଛି। ସାଧାରଣତଃ ଏପ୍ରିଲ ଦ୍ୱିତୀୟ ସପ୍ତାହ କିମ୍ବା ତା’ପରେ ଗ୍ରୀଷ୍ମକାଳୀନ ଲଘୁଚାପ କିମ୍ବା ବାତ୍ୟା ଆସିଥାଏ ବଙ୍ଗୋପସାଗରରେ। ଏଥର ଢେର ଆଗୁଆ ଏମିତି ସ୍ଥିତି ଉପୁଜିଛି।

ଯଦି ବର୍ତ୍ତମାନଠାରୁ ସମୁଦ୍ର ଜଳପତ୍ତନ ତାପମାତ୍ରା ଏତେ ଅଧିକ ହେଲାଣି, ଆଗକୁ ଆହୁରି ବଢ଼ିବ। ଏମିତି ହେଲେ ଆଗକୁ ବଙ୍ଗୋପସାଗରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବା ଆଶଙ୍କା ରହିଛି। ଯାହାକି ବାତ୍ୟା ଭଳି ବିପଦକୁ ଡାକି ଆଣିପାରେ। ଗତ ଦୁଇବର୍ଷ ହେଲାଣି ଏଭଳି ଖରାଦିନିଆ ବାତ୍ୟାର ସାମ୍ନା କରୁଛି ଓଡ଼ିଶା। ଖରାଦିନେ ମୁଖ୍ୟତଃ କାଳବୈଶାଖୀଜନିତ ବର୍ଷା, ପବନ ହୋଇଥାଏ। ହେଲେ ଜଳବାୟୁର ଅଦ୍ଭୁତ ପରିବର୍ତ୍ତନ ନୂଆ ସ୍ଥିତି ଆଣୁଛି।

୨୦୧୯ ମେ’ ୩ରେ ଫୋନି ଭଳି ଭୟାନକ ବାତ୍ୟା ଉପକୂଳ ଓଡ଼ିଶାକୁ ପ୍ରଭାବିତ କରିଥିଲା। ପୁରୀ ଓ ଭୁବନେଶ୍ୱରକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା। ବାତ୍ୟା ପରେ ଭୀଷଣ ଗରମ ଓ ଜଳ ସଙ୍କଟ କଲବଲ କରିଥିଲା। କରୋନା ମହାମାରୀ ସଙ୍କଟ ଭିତରେ ଆସିଥିବା ଅମପନ୍‌ ଓଡ଼ିଶାକୁ ବଡ଼ ଧରଣର କ୍ଷତି କରିନଥିଲେ ମଧ୍ୟ ରାଜ୍ୟ ପାଇଁ ଏକ ଭିନ୍ନ ସ୍ଥିତି ଆଣିଥିଲା। ବର୍ତ୍ତମାନ ମଧ୍ୟ କରୋନା ହୁ ହୁ ହୋଇ ବଢ଼ୁଛି। ଏଭଳି ସ୍ଥିତିରେ ଯଦି ଏଥର ବି ଖରାଦିନିଆ ବାତ୍ୟା ଆସେ, ସ୍ଥିତି ପୁଣି ଚିନ୍ତା ବଢ଼ାଇବ।

Comments are closed.