ସ୍ଥଳଭାଗ ମୁହାଁ ‘ୟାସ୍’: ଆଜି ବାତ୍ୟାର ରୂପ ନେବ, ୨୬ରେ ଲ୍ୟାଣ୍ଡଫଲ କରିବ
ଭୁବନେଶ୍ବର: ଉପକୂଳ ମୁହାଁ ବାତ୍ୟା ୟାସ୍। ବଙ୍ଗୋପସାଗରରୁ ଦ୍ରୁତ ଗତିରେ ଉପକୂଳ ମୁହାଁ ବାତ୍ୟା। ସମ୍ଭାବ୍ୟ ବାତ୍ୟା ‘ୟାସ୍’ ୨୬ ତାରିଖ ସନ୍ଧ୍ୟା ପରେ ପାରାଦୀପ ଠାରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଯେ କୌଣସି ସ୍ଥାନରେ ସ୍ଥଳଭାଗକୁ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ଏଭଳି ପୂର୍ବାନୁମାନ କରିଛନ୍ତି।
ବୁଧବାର ପ୍ରାୟ ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ। ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ। ପବନ ଝଟ୍କା ୧୮୫ କିମି ହୋଇପାରେ।
ୟାସ୍ ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଏଭଳି ଆଶଙ୍କା କରାଯାଉଛି।