Odisha Link
Bridging the Missing Links in Odisha

ବାତ୍ୟା ସମ୍ପୂର୍ଣ୍ଣ ନସରିବା ଯାଏଁ ଘରୁ ବାହାରନ୍ତୁ ନାହିଁ :ଏସଆରସି

ପାରାଦୀପ ଠାରୁ ୫୦୦ କିମି ଦୂରରେ ବାତ୍ୟା ୟଶ୍

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟଶ୍। ଏବେ ବାତ୍ୟା ୟଶ୍ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି। ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି। ଆଜି ଭୀଷଣ ବାତ୍ୟାର ରୂପ ନେବ। ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ। ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ।

ତେବେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ୨୨ଟି ଏନଡିଆରଏଫ ଟିମ ଆସିଯାଇଛି। ଆଜି ଆଉ ୩୦ ଟିମ ଆସିବେ। ଓଡ୍ରାଫ ଟିମ ୫୦ରୁ ୬୦ ଓ ଅଗ୍ନିଶମ ଟିମ ୧୭୫ରୁ ୨୦୦ ପ୍ରସ୍ତୁତ ଅଛନ୍ତି। ୩୫ଟି ଗଛକଟା ଟିମ, ପୂର୍ତ୍ତର ୧୬୫ ଓ ଗ୍ରାମ ଉନ୍ନୟନର ୩୦୦ ଟିମ ପ୍ରସ୍ତୁତ ଅଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ। କଚ୍ଚା ଘରେ ରହୁଥିବା ସବୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯିବ।

ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ନିଆଯିବ। ସେଠାରେ ଅଙ୍ଗନବାଡ଼ି, ଆଶା କର୍ମୀ ରହିବେ। ସମସ୍ତଙ୍କୁ ମାସ୍କ ଦିଆଯିବ। ବାତ୍ୟା ବେଳେ ଦଲକା ପବନ ଆସି କିଛି ସମୟ ଶାନ୍ତ ପଡ଼ିଯାଏ। କିଛି ସମୟ ଶାନ୍ତ ପଡ଼ିବା ପରେ ପୁଣି ୨ୟ ଦଫା ପବନ ଆସେ। ତେଣୁ ବାତ୍ୟା ସମ୍ପୂର୍ଣ୍ଣ ନସରିବା ଯାଏ ଘରୁ ବାହାରକୁ ବାହାରନ୍ତୁ ନାହିଁ। ବାତ୍ୟା ପବନ ଆରମ୍ଭରୁ ଶେଷ ଯାଏ ଘର ଭିତରେ ହିଁ ରୁହନ୍ତୁ। ଆମ୍ବ, ପଣସ, ନଡ଼ିଆ ଗୋଟାଇବାକୁ ପବନ ବେଳେ ବହାରକୁ ବାହାରନ୍ତୁ ନାହିଁ। ସାଇକେଲ, ବାଇକ ଧରି ବୁଲିବାକୁ ବାହାରୁଥିବା ପିଲାଙ୍କୁ ବାରଣ କରନ୍ତୁ। ପବନ ପୂର୍ବରୁ ପାଣି ଗଚ୍ଛିତ ରଖନ୍ତୁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି।

ବାଲେଶ୍ୱର ଜିଲ୍ଲାଦେଇ ଅତିକ୍ରମ କରିବା ସମ୍ଭାବନା ଅଧିକ ରହିଛି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ। ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦/୫୦ କିମି ପବନ ହେବ। ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢିବ, ୮୦ କିମି ଛୁଇଁପାରେ। ୨୬ ତାରିଖ ସକାଳୁ ପବନର ବେଗ ବଢି ୧୨୦୦ରୁ ୧୩୦ କିମି ହେବ। ଉପକୂଳ ଛୁଇଁଲା ବେଳକୁ ପବନର ବେଗ ସର୍ବାଧିକ ୧୫୫ରୁ ୧୮୫ ହେବ।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଅଧିକ ପ୍ରଭାବ ପଡ଼ିବ। ସମ୍ପୃକ୍ତ ୪ ଜିଲ୍ଲାରେ ୧୨୦ରୁ ୧୬୦ କିମି ବେଗରେ ପବନ ବୋହିପାରେ। ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ୯୦ରୁ ୧୨୦ କିମି ପର୍ଯ୍ୟନ୍ତ ପବନ ବୋହିବ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିମି ବେଗରେ ପବନ ବୋହିବ। କାଲି ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ।

Leave A Reply

Your email address will not be published.