Odisha Link
Bridging the Missing Links in Odisha

ଦେଶର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ନୋଟ୍ ଛାପିବା ଦରକାର: ଉଦୟ କୋଟାକ

ନୋଟ ଛାପିବା ପାଇଁ ଆରବିଆଇ ମଧ୍ୟ ସମର୍ଥନ କରିବା ଦରକାର

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଦେଶର ଆର୍ଥିକ ଭୁଶୁଡ଼ି ପଡ଼ିଛି। ପ୍ରଥମ ଲହର ଓ ଦ୍ୱିତୀୟ ଲହରରେ ବହୁଲୋକ ଜୀବିକା ହରାଇ ବେରୋଜଗାର ହୋଇଛନ୍ତି। ଅନେକ କମ୍ପାନୀ ମଧ୍ୟ କ୍ଷତି ସହିନପାରି କର୍ମଚାରୀ ଛଟେଇ କରିଛି। ଏବେ ଗରିବ ଲୋକ ଏବଂ ଜୀବିକାକୁ ସୁରକ୍ଷା ଦେବାର ସମୟ ଆସିଛି। ଏଥି ପାଇଁ ସରକାର ନୋଟ ଛାପିବା ପାଇଁ ଆଗକୁ ବଢିବା ଦରକାର।

ନୋଟ ଛାପିବା ପାଇଁ ଆରବିଆଇ ମଧ୍ୟ ସମର୍ଥନ କରିବା ଦରକାର। ଯଦି ଏବେ ନହେବ ତାହେଲେ ବହୁତ ବିଳମ୍ୱ ହୋଇଯିବ ବୋଲି କୋଟାକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ତଥା ଦେଶର ଜଣାଶୁଣା ବ୍ୟବସାୟୀ ଉଦୟ କୋଟାକ ଏକ ସାକ୍ଷାତକାରରେ କହିଛନ୍ତି।

ସେ କହିଛନ୍ତି, ଦେଶର ଅର୍ଥବ୍ୟବସ୍ଥାକୁ ପିରାମିଡ ଭାବରେ ବିଚାର କରିବା ଦରକାର। ପିରାମିଡର ଉପରି ଭାବରେ ଧନୀବର୍ଗର ଲୋକମାନେ ରହିଛନ୍ତି। ତଳେ ଗରିବ ଶ୍ରେଣୀର ଲୋକ ରହିଛନ୍ତି। ତେଣୁ ଗରିବ ଶ୍ରେଣୀର ଲୋକ ହେଉଛନ୍ତି ମୂଳ ସ୍ତମ୍ଭ। ସରକାର ପ୍ରାଥମିକ ଭାବରେ ତଳ ସ୍ତରର ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ଦରକାର।

ଏଥିପାଇଁ ଗରିବ ଶ୍ରେଣୀର ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପଠାଇବା ଦରକାର। ଏଥିପାଇଁ ସରକାର ୧ ଲକ୍ଷ କୋଟିରୁ ୨ ଲକ୍ଷ କୋଟି ମଧ୍ୟରେ ଆର୍ଥିକ ବୋଝ ସମ୍ଭାଳିବା ଦରକାର। ଏହି ଟଙ୍କା ଦେଶର ମୋଟ୍ ଅଭିବୃଦ୍ଧିର ୧ ପ୍ରତିଶତ। ଏଥିସହ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଦରକାର ବୋଲି ଉଦୟ କୋଟାକ କହିଛନ୍ତି।

ଗତଥର କରୋନା କ୍ଷତିଗ୍ରସ୍ତଙ୍କୁ ସହଯୋଗ କରିବାକୁ ଯାଇ କ୍ରେଡିଟ୍ ସ୍କିମ୍ ଲାଗୁ କରିଥିଲେ। ସରକାର ଏଥିପାଇଁ 3 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ। ଏବେ ସରକାର ଏହି ରାଶିକୁ 5 ଲକ୍ଷ କୋଟି ଏବଂ ଅନ୍ୟାନ୍ୟ ସେକ୍ଟରକୁ ସାମିଲ୍ କରିବା ଦରକାର ବୋଲି କୋଟାକ କହିଛନ୍ତି।

Leave A Reply

Your email address will not be published.