Odisha Link
Bridging the Missing Links in Odisha

ନୟାଗଡ଼: ଅଧ୍ୟକ୍ଷାଙ୍କ ଜାଲ୍ ଦସ୍ତଖତରେ ଟଙ୍କା ଲୁଟିନେଲେ ଉପାଧ୍ୟକ୍ଷ!

ଖଣ୍ଡପଡ଼ା: ବିବାଦ ଘେରରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା। ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍‌ ଅଧ୍ୟକ୍ଷା। ଏପରିକି ସରକାରୀ କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତିଲତା ବେହେରା। ଖାସ୍‌ ସେତିକି ନୁହେଁ ଜାଲ୍ ଦସ୍ତଖତରେ କୋଟି କୋଟି ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅଧ୍ୟକ୍ଷା। ବ୍ଲକ୍ ଅଧ୍ୟକ୍ଷା ଜଣେ ନିରୀହ ଦଳିତ ମହିଳା ହୋଇଥିବା ବେଳେ ଉପାଧ୍ୟକ୍ଷ ତାଙ୍କ କାର୍ଯ୍ୟାଳୟକୁ ମାଡ଼ି ବସିବା ସହ ତାଙ୍କୁ କୌଣସି କାର୍ଯ୍ୟ କରିବାର ସୁଯୋଗ ଦେଉନାହାନ୍ତି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲାଗି ରହିଛି ଚର୍ଚ୍ଚା।

ସୂଚନାଯୋଗ୍ୟ, ରବିବାର ଦିନ ଭାପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତିଲତା ବେହେରୋ ବ୍ଲକ୍‌ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ ଶ୍ରୀ ପରିଡ଼ାଙ୍କ ନାମରେ ସରକାରୀ କାର୍ଯ୍ୟରେ ଅନିୟମିତତା, ସରକାରୀ ଟଙ୍କାର ଆତ୍ମସାତ ଓ ଜାଲ୍‌ ଦସ୍ତଖତରେ ଟଙ୍କା ଲୁଟୁଥିବାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ଫତେଗଡ଼ ଥାନାରେ ଏକ ଅଭିଯୋଗ ପତ୍ର ମଧ୍ୟ ଦାଖଲ କରିଛନ୍ତି।

ଶ୍ରୀମତି ବେହେରା ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ, ବ୍ଲକ୍‌ ଉପାଧ୍ୟକ୍ଷ ଗୟାଧର ପରିଡ଼ା ମୋତେ ମୋ କାର୍ଯ୍ୟ କରିବାକୁ ସୁଯୋଗ ଦେଉ ନାହାନ୍ତି। ସେ ବେନିୟମ ଭାବେ ବ୍ଲକରେ ଥିବା ମୋ ବ୍ୟକ୍ତିଗତ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ମାଡ଼ି ବସିଛନ୍ତି। ଗତ ଦୁଇ ବର୍ଷ ହେଲାଣି ମୋ ଅଜାଣତରେ ସମସ୍ତ ସରକାରୀ କାର୍ଯ୍ୟ ବେନିୟମ ଭାବେ ଗୟାଧର ପରିଡ଼ା କରୁଛନ୍ତି।

ସରକାରୀ ଲେଟର ପ୍ୟାଡର ନକଲ ଓ ଦସ୍ତଖତକୁ ଜାଲିଆତି କରି ବହୁ ଟଙ୍କା ହଡ଼ପ କରିବା ସହିତ ଅନେକ ବିଲ୍‌ ପେମେଣ୍ଟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଶ୍ରୀମତି ବେହେରା। ମୁଁ ଏଭଳି ଅନିୟମିତତା ଖବର ଜାଣିବା ପରେ ବାରମ୍ବାର ଅସହଯୋଗ ଓ ଅଭିଯୋଗ କରି ଆସୁଥିଲି। ହେଲେ ଗୟାଧର ପରିଡ଼ାଙ୍କ କିଛି ଲୋକ ମୋତେ ହଇରାଣ କରିବା ସହ ଜୀବନରୁ ମାରି ଧମକ ଦେଉଥିବାରୁ ମୁଁ ତାଙ୍କ ବିପକ୍ଷରେ କୌଣସି ଆଇନଗତ ପଦକ୍ଷେପ ନେଇ ପାରୁନଥିଲି। ହେଲେ ଏବେ ମୁଁ ସାହସ ସଞ୍ଚୟ କରି ଅଭିଯୋଗ କରିଛି ବୋଲି ଶ୍ରୀମତି ବେହରୋ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ଅଧ୍ୟକ୍ଷା ଶ୍ରୀମତି ବେହେରାଙ୍କ ଅଭିଯୋଗ ମାମଲାରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ବ୍ଲକ୍‌ ଉପାଧ୍ୟକ୍ଷ ଗୟାଧର ପରିଡ଼ା। ସୂଚନାଯୋଗ୍ୟ, ଗୟାଧର ପରିଡ଼ା ଜଣେ ବରିଷ୍ଠ ବିଜୁ ଜନତା ଦଳର ବରିଷ୍ଠ ନେତା। ସେ ଦୀର୍ଘ ୧୫ ବର୍ଷ ଧରି ଭାପୁର ବ୍ଲକ୍ ବିଜେଡିର ସଭାପତି ଥିବା ବେଳେ ଭାପୁର ପଞ୍ଚାୟତ ସମିତିର ଥରେ ଅଧ୍ୟକ୍ଷ ଓ ଦୁଇଥର ଉପାଧ୍ୟକ୍ଷ ହୋଇଛନ୍ତି।

Leave A Reply

Your email address will not be published.