Odisha Link
Bridging the Missing Links in Odisha

ବନ ସଂରକ୍ଷକଙ୍କ ମୃତ୍ୟୁ ମାମଲା: ୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ

ଗଜପତି: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ର କେମିତି ପୋଡ଼ି ହେଲେ? ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ନା ହତ୍ୟା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହି ଥିବା ବେଳେ ଏହି ମାମଲାରେ ଏବେ ତିନି ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା।

ଘଟଣା ଦିନ ଘରେ ସୌମ୍ୟରଂଜନଙ୍କ ସ୍ତ୍ରୀ, ଡିଏଫଓ ଓ ରୋଷେଇ କରୁଥିବା ଗାର୍ଡ ଥିଲେ। କାହାକୁ କିଛି ହେଲାନି, କେବଳ ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା ବୋଲି ସନ୍ଦେହ କରି ଏହି ତିନି ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରିଛନ୍ତି। ଏହି ତିନି ଜଣ ଷଡ଼ଯନ୍ତ୍ର କରି ସୌମ୍ୟରଞ୍ଜନକୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ କ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ଓ ରୋଷେୟାଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୌମ୍ୟଙ୍କ ମୋବାଇଲ୍ ଓ ଲାପଟପ୍‌ ଜବତ କଲେ ସତ ପଦାକୁ ଆସିବ ବୋଲି କହିଛନ୍ତି ମୃତ ସୌମ୍ୟଙ୍କ ପରିବାର।

ଆଜି ପାରଳାଖେମୁଣ୍ଡି ଯାଇ ଜିଲ୍ଲାପାଳ, ଏସ୍‌ପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଭେଟିବେ ସୌମ୍ୟଙ୍କ ବାପା ଓ ମା’। ପୂର୍ବରୁ ସୌମ୍ୟଙ୍କ ସ୍ତ୍ରୀ, ଡିଏଫଓ ଓ ରୋଷେୟାଙ୍କୁ ଘଟଣା ପାଇଁ ଦାୟୀ କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ପରିବାର। ସେପଟେ ଶାଶୂଘରର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏଫଓ ଓ ସୌମ୍ୟଙ୍କ ପତ୍ନୀ।

ବିବାହ ପରେ ସ୍ୱାମୀ-ସ୍ତ୍ରୀ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ହେଲେ ଗତ ସୋମବାର ରାତି ପ୍ରାୟ ୯ଟା ବେଳେ ସୌମ୍ୟରଞ୍ଜନ ମହାପାତ୍ର ଦେହରେ ନିଆଁରେ ଲାଗି ଯାଇଥିଲା। ଏନେଇ ତାଙ୍କ ପତ୍ନୀ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ମଙ୍ଗଳବାର ସୌମ୍ୟଙ୍କୁ କଟକରେ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ପ୍ରାୟ ୯୦ ଭାଗ ପୋଡ଼ି ଯାଇଥିବାରୁ ଶେଷରେ ପ୍ରାଣ ହରାଇଲେ ସୌମ୍ୟରଞ୍ଜନ।

Leave A Reply

Your email address will not be published.