Odisha Link
Bridging the Missing Links in Odisha

ବୋଲବମ୍‌ ଯାତ୍ରାକୁ ଅନୁମତି ନେଇ କଡ଼ା ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ, କହିଲେ…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାର ବେଳେ ଉତ୍ତର ପ୍ରଦେଶ ସରକାର କାଉଡ଼ି ଯାତ୍ରାକୁ ଅନୁମତି ଦେଇଛନ୍ତି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କଡ଼ା ଟିପ୍ପଣୀ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ଅଧିକାର ସର୍ବୋପରି। ଉତ୍ତର ପ୍ରଦେଶ ସରକାରଙ୍କୁ ସୋମବାର ସୁଦ୍ଧା ବୋଲବମ ଯାତ୍ରା ଆୟୋଜନ କରିବାକୁ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆରଏଫ ନରିମାନ କହିଛନ୍ତି, “ଆମେ ସମସ୍ତେ ଭାରତର ନାଗରିକ। ଧାରା-୨୧ରେ ଥିବା ଜୀବନ ଧାରଣ ଅଧିକାର ସମସ୍ତଙ୍କର ରହିଛି। ଉତ୍ତର ପ୍ରଦେଶ କେବେ ହେଲେ ଫିଜିକାଲ ବା ଲୋକଙ୍କୁ ନେଇ କାଉଡ଼ି ଯାତ୍ରା କରିପାରିବ ନାହିଁ। କେବେ ହେଲେ କାଉଡ଼ି ଯାତ୍ରା କରାଯାଇ ପାରିବନି।”

ମାମଲାର ଶୁଣାଣିକୁ ସୋମବାରକୁ ଘୁଞ୍ଚାଇ କୋର୍ଟ କହିଛନ୍ତି, ଆମେ ରାଜ୍ୟ ସରକାରଙ୍କୁ ଆଉ ଗୋଟିଏ ସୁଯୋଗ ଦେଉଛୁ। ସେ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ଯଦି ସେମିତି କିଛି ନ ହେବ, ତା’ହେଲେ କୋର୍ଟ ନିର୍ଦ୍ଦେଶ ଜାରି କରିବେ।

ଜଷ୍ଟିସ ନରିମାନ ଓ ଜଷ୍ଟିସ ବିଆର ଗାଭାଇଙ୍କ ଖଣ୍ଡପୀଠ କହିଛନ୍ତି, “ଆମେ କେବେ ହେଲେ କାଉଡ଼ି ଯାତ୍ରାକୁ ଅନୁମତି ଦେଇ ପାରିବୁ ନାହିଁ। ୧୦୦ ପ୍ରତିଶତ। ୟୁପି ସରକାର ଯାତ୍ରାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଚାର କରନ୍ତୁ। ଭାରତୀୟଙ୍କ ସ୍ୱାସ୍ଥ୍ୟ ଓ ଜୀବନ ଧାରଣ ଅଧିକାର ସର୍ବୋପରି। ଅନ୍ୟ ସବୁ ଭାବାବେଗ ମୂଳ ମୌଳିକ ଅଧିକାର ମଧ୍ୟରେ ଆସୁଛି। ତେଣୁ ସରକାର କାଉଡ଼ି ଯାତ୍ରା ଆୟୋଜନ ଉପରେ ବିଚାର କରନ୍ତୁ।”

Leave A Reply

Your email address will not be published.